ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ ୩ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତା ରେ ଶୁକ୍ରବାର ଅପରାହ୍ନ ସାଢେ ୩ ଟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଗୁରୁତର ଆହତ ହୋଇଥିଲେ।ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି।ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ହରିଶ୍ଚନ୍ଦ୍ର ସାହୁ ଙ୍କ ପୁଅ ଶୁଭମ୍ ସାହୁ(୨୨)। ଶୁଭମ୍ ଆଟିଆଇ ପାସ୍ କରିବା ପରେ ଇଲକ୍ଟ୍ରିସିଆନ୍ ଭାବେ ଗାଁ ରେ ରହି ଲୋକଙ୍କ କାମ କରୁଥିଲେ। ଆହାତ ୩ ଜଣ ହେଲେ ସେହି ଗାଁ ସୁନାରି ସାହିର ପବିତ୍ର ସାହୁ(୨୭),ଶୁଭମ୍ ରେଡ୍ଡୀ(୧୯) ଏବଂ କାହ୍ନା ଗୌଡ଼(୨୨)। ଶୁଭମ ସାହୁ ଏବଂ ତାଙ୍କ ସହଯୋଗୀ ଶୁଭମ ରେଡ୍ଡୀ ଏକ ବାଇକ ନଂ. ( ଓଡି ୦୭ ଏ କେ ୧୮୫୫) ଯୋଗେ କୈାଣସି କାମରେ ଗୋକର୍ଣ୍ଣପୁର ଯାଉଥିବା ବେଳେ ପବିତ୍ର ଓ କାହ୍ନା ବାଇକ ନଂ. ( ଓଡି ୦୭ ଏ ୱାଇ ୦୪୩୩) ଯୋଗେ ଗାଁ କୁ ଫେରୁଥିବା ବେଳେ ଉଭୟ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ସମସ୍ତେ ବାଇକରୁ କଚାଡି ହୋଇ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ଶୁଭମ ସାହୁ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଦିଗପହଣ୍ଡି ପୋଲିସ ଟିମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶୁଭମ୍ ସାହୁ ଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣାଗସ୍ତ ଦୁଇଟି ବାଇକ କୁ ଜବତ କରିଛନ୍ତି । ସନ୍ଧ୍ୟା ହୋଇଯିବାରୁ ଶୁଭମ ଙ୍କ ମୃତଦେହ ଶନିବାର ସକାଳେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ କରାଯାଇଥିଲା।


