ଚକ୍ରପଡା ଗାଁର ପିଙ୍କନଙ୍କ ନିସ୍ୱାର୍ଥ ସେବା: ଡାକିଲେ ପହଞ୍ଚନ୍ତି ମେଡିକାଲରେ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ବିଶ୍ୱ ରକ୍ତଦାତା ଦିବସ । ‘ରକ୍ତ ଦିଅ, ଜୀବନ ବଞ୍ଚାଅ’ ବାର୍ତା ନେଇ ସାରା ବିଶ୍ୱରେ ପାଳିତ ହେଉଛି ଏହି ଦିବସ । ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ । ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ମାଣ୍ଡୁକି ପଞ୍ଚାୟତ ଅଧୀନ ଚକ୍ରପଡା ଗ୍ରାମର ପିଙ୍କନ ପରିଡା ଦୀର୍ଘ ବର୍ଷ ଧରି ନିରନ୍ତର ରକ୍ତଦାନ କରି ୧୦୦ରୁ ଅଧିକ ଥର ରକ୍ତଦାନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । କେବଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନୁହେଁ, ଯେତେବେଳେ ବି କାହାର ଜରୁରୀ ରକ୍ତ ଆବଶ୍ୟକ ହୁଏ, ଗୋଟିଏ ଫୋନ୍ କଲରେ ପିଙ୍କନ ମେଡିକାଲରେ ପହଞ୍ଚି ଯାଆନ୍ତି । ରାତି ହେଉ କି ଦିନ, ବର୍ଷା ହେଉ କି ଖରା, ପିଙ୍କନଙ୍କ ପାଇଁ ମାନବ ସେବା ହିଁ ସବୁଠାରୁ ବଡ । ତାଙ୍କ ଏହି ନିସ୍ୱାର୍ଥ ସେବା ଯୋଗୁଁ ଅସ୍ତରଙ୍ଗ, କାକଟପୁର, ନିମାପଡା, ଏପରିକି ପୁରୀ, କଟକ ଓ ଭୁବନେଶ୍ୱର ମେଡିକାଲରେ ଅନେକ ରୋଗୀଙ୍କ ଜୀବନ ବଞ୍ଚିଛି ।
ପିଙ୍କନ ପରିଡା କୁହନ୍ତି, ରକ୍ତଦାନ ମହତ ଦାନ। ମୋ ଶରୀରରେ ରକ୍ତ ଥିବା ଯାଏଁ ମୁଁ ଦାନ କରିଚାଲିବି । ମୋର ଗୋଟିଏ ୟୁନିଟ୍ ରକ୍ତରେ ଯଦି କାହାର ଜୀବନ ବଞ୍ଚେ, ତା’ଠାରୁ ବଡ ଖୁସି ଆଉ କ’ଣ ହୋଇପାରେ? ସମସ୍ତେ ନିୟମିତ ରକ୍ତଦାନ କରନ୍ତୁ । ପିଙ୍କନଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି । ବିଶ୍ୱ ରକ୍ତଦାତା ଦିବସ ପୂର୍ବରୁ ମାଣ୍ଡୁକି ପଞ୍ଚାୟତର ସରପଞ୍ଚ ରୋଜିନା ଜେନା ଓ ଅସ୍ତରଙ୍ଗ ମଣ୍ଡଳ ୧ ବିଜେପି ସଭାପତି ଇନ୍ଦ୍ରମଣୀ ଜେନା ପିଙ୍କନଙ୍କୁ ଭେଟି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ସରପଞ୍ଚ ରୋଜିନା ଜେନା କହିଛନ୍ତି, ପିଙ୍କନ ଭାଇ ଆମ ପଞ୍ଚାୟତ ପାଇଁ ନୁହଁନ୍ତି, ସମଗ୍ର ଅସ୍ତରଙ୍ଗ ବ୍ଲକ ପାଇଁ ଗର୍ବ। ତାଙ୍କ ପରି ଲୋକଙ୍କ ପାଇଁ ସମାଜ ଆଜି ବି ବଞ୍ଚିଛି । ଯୁବପିଢି ତାଙ୍କଠାରୁ ପ୍ରେରଣା ନିଅନ୍ତୁ। ବିଜେପି ୧ନମ୍ବର ମଣ୍ଡଳ ସଭାପତି ଇନ୍ଦ୍ରମଣୀ ଜେନା କହିଛନ୍ତି, ୧୦୦ରୁ ଅଧିକ ଥର ରକ୍ତଦାନ ସାମାନ୍ୟ କଥା ନୁହେଁ । ପିଙ୍କନ ପରିଡା ଜଣେ ପ୍ରକୃତ ‘ରକ୍ତବୀର’। ସରକାର ତାଙ୍କୁ ରାଜ୍ୟସ୍ତର ଓ ଜିଲ୍ଲାସ୍ତରରେ ସମ୍ମାନିତ କରିବା ଉଚିତ ।ବିଶ୍ୱ ରକ୍ତଦାତା ଦିବସରେ ଆସନ୍ତୁ ସଂକଳ୍ପ ନେବା ରକ୍ତ ଦାନ କରିବା, ଜୀବନ ବଞ୍ଚାଇବା।


