ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ରାୟଗଡ଼,(ଯୋଗେଶ୍ୱର ଦାସ ): ରାଜ୍ୟ ସରକାରଙ୍କ ଐତିହାସିକ ଖାଦ୍ୟ ସୁରକ୍ଷା ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (CMAY)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ରାୟଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାର ଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ସମନ୍ୱୟ ଫଳରେ ଯୋଗ୍ୟ ହିତାଧିକାରୀମାନେ ଏବେ ମୁଣ୍ଡପିଛା ମୋଟ ୧୦ କିଲୋଗ୍ରାମ ଚାଉଳ ପାଇବେ। ଏହି ଯୋଜନା ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ସହ ଗରିବ ଓ ଦୁର୍ବଳ ବର୍ଗର ପରିବାରମାନଙ୍କ ଜୀବନଯାତ୍ରାକୁ ଅଧିକ ସୁରକ୍ଷିତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ। ରାୟଗଡ଼ ଜିଲ୍ଲାରେ ଏହି ଯୋଜନା ଅଧୀନରେ ମୋଟ ୨,୫୬,୯୯୮ ପରିବାରର ୮,୦୦,୫୨୫ ଜଣ ସଦସ୍ୟ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉଥିବାରୁ ଜିଲ୍ଲା ପାଇଁ ପ୍ରତିମାସ ୪୦,୦୨୬.୨୫ କ୍ୱିଣ୍ଟାଲ ଅତିରିକ୍ତ ଚାଉଳ ଆବଣ୍ଟନ କରାଯିବ। ଜିଲ୍ଲାର ମୋଟ ଜନସଂଖ୍ୟାର ପ୍ରାୟ ୮୨.୭୦ ପ୍ରତିଶତ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଖାଦ୍ୟ ସୁରକ୍ଷାର ସୁବିଧା ପାଉଛନ୍ତି।  ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷର ବିକାଶମୂଳକ ସଫଳତା ଉପରେ ଆଲୋକପାତ କରିଥିଲେ। ରାୟଗଡ଼ ଜିଲ୍ଲା ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପର୍ଯ୍ୟଟନ, ସଡ଼କ ଭିତ୍ତିଭୂମି, ପରିବହନ ବ୍ୟବସ୍ଥା ଓ ଜନକଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ସେ କହିଥିଲେ। ସେହିପରି ସୋସିଆଲ ମିଡିଆର ସଦୁପଯୋଗ ଓ ଭ୍ରାନ୍ତ ତଥ୍ୟ ପ୍ରସାର ରୋକିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଶୁଭାରମ୍ଭ ଉତ୍ସବର ସିଧାପ୍ରସାରଣ ଦେଖାଯାଇଥିଲା। ପରେ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ପୋଷଣ ଅଭିଯାନ ଅଧୀନରେ ୧୦ ଜଣ ହିତାଧିକାରୀଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯାଇଥିଲା। ଜିଲ୍ଲାର ୧୭୭ ଜଣ କିନ୍ନର ହିତାଧିକାରୀଙ୍କ ମଧ୍ୟରୁ ୧୬୯ ଜଣଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। କାର୍ଯ୍ୟକ୍ରମ ପରେ ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ “ଗଣମାଧ୍ୟମ ଓ ମତାମତ ନିର୍ମାତା ସଂଯୋଗ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସାମ୍ବାଦିକ, ସୋସିଆଲ ମିଡିଆ ପ୍ରତିନିଧି ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ବ୍ୟାପକ ପ୍ରଚାର-ପ୍ରସାର ଏବଂ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କରେ ମତବିନିମୟ କରିଥିଲେ। ଜିଲ୍ଲା ପ୍ରଶାସନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ହିତାଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ