ଚିତ୍ରକୋଣ୍ଡାରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା: ଠିକାଦାରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ବିଧାୟକଙ୍କ ଚେତାବନୀ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଚିତ୍ରକୋଣ୍ଡା ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଏବଂ ନିମ୍ନମାନର କାମକୁ ନେଇ ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ବଣ୍ଡା ଘଟିର ମୁଡୁଲିପୋଡ଼ା ରୁ ତୁସେଇପଡ଼ା ଅଞ୍ଚଳରେ ନିର୍ମିତ ରାସ୍ତାର ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକେ ବିଧାୟକ ମଙ୍ଗୁ ଖିଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ବିଧାୟକ ମଙ୍ଗୁ ଖିଲ ନିଜ ଟିମ୍ ସହ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତା ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥିଲା। ରାସ୍ତାରେ ପିଚୁର ନାମଗନ୍ଧ ନଥିବା ବେଳେ କେବଳ କେମିକାଲ୍, ବାଲି ଓ ଚିପ୍ସ ବ୍ୟବହାର କରି କାମ ଚଳାଇ ଦିଆଯାଉଛି, ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ଅସନ୍ତୋଷଜନକ ବୋଲି ବିଧାୟକ ମତ ପ୍ରକାଶ କରିଛନ୍ତି। ସରକାରୀ ଅର୍ଥର ଏଭଳି ଅପବ୍ୟୟକୁ ସହ୍ୟ ନକରି ବିଧାୟକ ମଙ୍ଗୁ ଖିଲ ତୁରନ୍ତ ସମ୍ପୃକ୍ତ ଠିକାଦାରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।ଜିଲ୍ଲାପାଳ ମଧ୍ୟ ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ସେ ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମ୍ପୃକ୍ତ ଠିକାଦାରଙ୍କୁ ଡକାଇ ଆଲୋଚନା କରିବା ସହ ସମସ୍ୟାର ସମାଧାନ କରିବେ ବୋଲି ଆଶ୍ୱସନା ଦେଇଛନ୍ତି। ଏହି ଅନିୟମିତତାକୁ ରୋକିବା ପାଇଁ ବିଧାୟକ କହିଛନ୍ତି ଯେ, ଆଗାମୀ ଦିନରେ ବିଭିନ୍ନ ବିଭାଗରେ ଚାଲିଥିବା ସରକାରୀ କାର୍ଯ୍ୟର ନିରନ୍ତର ତଦାରଖ ପାଇଁ ସେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିବେ। ଏଭଳି ପଦକ୍ଷେପ ଅଞ୍ଚଳରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ