ଜୁଆଆଡ୍ଡା ଉପରେ ଚଢଉ : ୮ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଏସ୍ପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଅଞ୍ଚଳରେ ଏକ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ଥାନାର ଅଫିସରମାନେ, ଡିଭିଏଫ ଓ ଏପିଆର ଫୋର୍ସଙ୍କ ସହିତ ମିଶି ପାରଳା ସହରର ସେରି ସାହି, ଜଙ୍ଗମ ସାହି, ରେଲି ସାହି ସମେତ ଅନ୍ୟାନ୍ୟ ସଂବେଦନଶୀଳ ସାହି ଓ ସହରର ମୁଖ୍ୟ ରାସ୍ତା ଗୁଡ଼ିକରେ ଫୁଟ୍ ମାର୍ଚ୍ଚ କରିଥିଲେ। ଏହା ସମୟରେ ସନ୍ଦେହଜନକ ସ୍ଥାନ ଗୁଡ଼ିକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେରି ସାହିରେ ରାସ୍ତା କଡ଼ରେ ଚାଲିଥିବା ଏକ ଜୁଆ ଖେଳ ଧରାପଡ଼ିଥିଲା। ସେଠାରୁ ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜୁଆ ଖେଳ ସ୍ଥଳରୁ ନଗଦ ଟଙ୍କା ୨,୩୩୫/- ଓ ୮ଗୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ସେହିପରି ରେଲି ସାହିରେ ଆଉ ଏକ ଚଢ଼ାଉ ସମୟରେ ଏକ ଅବକାରୀ ମାମଲା ଧରାପଡ଼ିଥିଲା । ସେଠାରୁ ୧୪ଗୋଟି ବିୟର ବୋତଲ ଜବତ କରାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେହିପରି ଅନ୍ୟ ଏକ ଘଟଣାରେ, ଯାନବାହାନ ଯାଞ୍ଚ ସମୟରେ ଏକ ମୋଟର ସାଇକେଲରେ ବେଆଇନ ମଦ ବୋଝେଇ ନେଇଯାଉଥିବା ୨ ଜଣ ବ୍ୟକ୍ତିଙ୍କୁ ପୋଲିସ ଚଢଉ କରି ସେମାନଙ୍କ ଠାରୁ ୨୦ ଲିଟର ମଦ ଜବତ କରାଯାଇଛି. ଉଭୟଙ୍କୁ ଗିରଫ କରାଯାଇଛି । ଉପରୋକ୍ତ ଘଟଣାଗୁଡ଼ିକ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୨୨୪/୨୦୨୬, ୨୨୫/୨୦୨୬ ଏବଂ ୨୨୬/୨୦୨୬ ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।


