ରଜରେ ରିଲ୍ସ ପାଇଁ ତାଳଦା ପାଲଟିଲା ହଟସ୍ପଟ
ଅସ୍ତରଙ୍ଗ /କାକଟପୁର,(ଶୁଭାଶିଷ ଖଣ୍ଡୁଆଳ) : ଅସ୍ତରଙ୍ଗ ବ୍ଲକ ଅଧୀନ ତାଳଦା ପଞ୍ଚାୟତକୁ ସଂଯୋଗ କରୁଥିବା ଦେବୀ ନଦୀ ଉପରେ ନିର୍ମିତ ତାଳଦା ବିଜୁ ସେତୁ ପହିଲି ରଜ, ରଜ ସଂକ୍ରାନ୍ତି ଓ ଶେଷ ରଜ ଅବସରରେ ଯୁବପିଢିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଅପରାହ୍ନ ସମୟରେ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ସହ ଦେବୀ ନଦୀର ବିସ୍ତୀର୍ଣ୍ଣ ଜଳରାଶି ଉପରେ ଛିଡା ହୋଇଥିବା ବୋଷ୍ଟିଙ୍ଗି ଗାର୍ଡର ବିଶିଷ୍ଟ ବିଜୁ ସେତୁ ଦେଖିବାକୁ ଶତାଧିକ ଯୁବକ-ଯୁବତୀଙ୍କ ଭିଡ଼ ଜମିଥିଲା। ସେତୁ ଉପରୁ ସୂର୍ଯ୍ୟାସ୍ତ ଦେଖିବା ସହ ନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ। ଅନେକ ଯୁବପିଢି ସେତୁର ବିଭିନ୍ନ ସ୍ଥାନରେ ଫଟୋ ଉଠାଇବା, ସେଲ୍ଫି ନେବା ସହ ଇନଷ୍ଟାଗ୍ରାମ ଓ ଫେସବୁକ ପାଇଁ ରିଲ୍ସ ତିଆରି କରୁଥିବାର ଦେଖିବାକୁ ମିଳିଥିଲା। ସେତୁର ଷ୍ଟିଲ ଗାର୍ଡର ଓ ଦେବୀ ନଦୀର ପୃଷ୍ଠଭୂମି ଫଟୋ ଓ ଭିଡିଓ ପାଇଁ ଉତ୍ତମ ଲୋକେସନ ପାଲଟିଛି। ଫଳରେ ଏହା ସ୍ଥାନୀୟ ଅଞ୍ଚଳର ଏକ ନୂଆ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେଉଛି। ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ଯଦି ପ୍ରଶାସନ ତରଫରୁ ତାଳଦା ବିଜୁ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା କରାଯାଏ ଏବଂ ବୋଷ୍ଟିଙ୍ଗି ଗାର୍ଡରକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଏ, ତେବେ ଏହା ସନ୍ଧ୍ୟା ସମୟରେ ଆହୁରି ଆକର୍ଷଣୀୟ ହେବ। ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଆକୃଷ୍ଟ ହେବେ ଓ ସ୍ଥାନୀୟ ପର୍ଯ୍ୟଟନର ବିକାଶ ହେବ ବୋଲି ସେମାନେ ମତ ଦେଇଛନ୍ତି। ସନ୍ଧ୍ୟା ପରେ ମଧ୍ୟ ଲୋକେ ନିରାପଦରେ ବୁଲିପାରିବେ। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


