ଜିଲ୍ଲାସ୍ତରୀୟ ମକଡ୍ରିଲ ପ୍ରସ୍ତୁତି ବୈଠକ
ବାଲେଶ୍ୱର(ଓ୍ବାଇଏନଏସ): ବାଲେଶ୍ୱର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ଟେବୁଲଟପ ଏକସରସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଡିଟୋରିଓମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ସମ୍ଭାବ୍ୟ ବନ୍ୟା, ବତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ପୂର୍ବ ପ୍ରସ୍ତୁତି କରାଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଉପକୂଳବର୍ତୀ ବାଲେଶ୍ବର ଜିଲ୍ଲାରେ ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅନେକ କ୍ଷୟକ୍ଷତି ହେଉଥିବା ବେଳେ ଉପଯୁକ୍ତ ଯୋଜନା ପ୍ରସ୍ତୁତି ଦ୍ଵାରା ଧନଜୀବନର ସୁରକ୍ଷା ହୋଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ପୂର୍ବ ବର୍ଷ ଭଳି ଜିଲ୍ଲାର ବନ୍ୟା ଓ ବାତ୍ୟାପ୍ରବଣ ଅଂଚଳର ଲୋକମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ମୁକାବିଲାର ବିଭିନ୍ନ ଉପାୟ, ଅନୁସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା କାର୍ଯ୍ୟ ସମ୍ବନ୍ଧରେ ସଚେତନ କରିବା ପାଇଁ ଆସନ୍ତା ଜୁନ ୧୯ ତାରିଖରେ ଏକ ମକଡ୍ରିଲ ଲାଗି ଆଜିର ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ୧୮ ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହୁରେ ବ୍ଲକ ଏବଂ ପୌରାଂଚଳ ସ୍ତରରେ ଟେବୁଲଟପ ଏକସରସାଇଜ ୧୯ ତାରିଖରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା I ଜିଲ୍ଲାର ବିଭିନ୍ନ ବ୍ଲକରେ ଅବସ୍ଥିତ ୧୪୪ ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଏହି ମଳଡ୍ରିର ଅନୁଷ୍ଠିତ ହେବ । ସେହିପରି ରେଡକ୍ରସ ଦ୍ଵାରା ପରିଚାଳିତ ୧୨ଟି କେନ୍ଦ୍ରରେ ମଧ୍ୟ ଏହା ଅନୁଷ୍ଠିତ ହେବ । ମକତ୍ରିଲ ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଅବସ୍ଥା, ସେଠାରେ ଥିବା ଯନ୍ତ୍ରପାତିଗୁଡିକୁ ପରୀକ୍ଷାନିରୀକ୍ଷା କରି ଆବଶ୍ୟକୀୟ ଜରୁରୀ ସରଞ୍ଜାମ ଠିକ ଅଛି କି ନାହିଁ, ସେ ବାବଦରେ . ସ୍ଥାନୀୟ ବି.ଡି.ଓ କିମ୍ବା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଆଶ୍ରୟସ୍ଥଳୀ ସେକ୍ରେଟାରୀ ଓ ଅଗ୍ନିଶମ ଅଧିକାରୀ ଅବଗତ କରାଇବେ ।
ବନ୍ୟା ଓ ବାତ୍ୟା ପରିସ୍ଥିତିରେ ପୀଡ଼ିତଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଶୁଖିଲା ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଔଷଧ ମହଜୁଦ, ନଦୀବନ୍ଧ ଓ ଘାଇ ମରାମତି, ପାଇପ୍ ଦ୍ୱାରା ବିଶୋଧିତ ଜଳ ଯୋଗାଣ, ନଳକୂପ ବିଶୋଧନ, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ, ହେଲୋଜନ ବଟିକା, ଓଆରଏସ, ବ୍ଲିଚିଙ୍ଗ ପାୱଡର ,ପ୍ରାଣୀସମ୍ପଦର ସୁରକ୍ଷା ନିମନ୍ତେ ଟୀକା ଓ ଔଷଧ ସହ ପଦକ୍ଷେପ, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ଶସ୍ୟ ମହଜୁଦ ରଖିବା ଆଦି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।
ଏହି କାଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ (ସାଧାରଣ), ଉପ ଜ଼ିଲ୍ଲାପାଳ, ନୀଳଗିରି, ଶ୍ରୀମତୀ ଶୁଭଶ୍ରୀ ରଥ, ଜ଼ିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏନ.ଡି.ଆର.ଏଫ ,ଓ.ଡ୍ରା.ଫ ବାହିନୀ, ସ୍ଵେଛାସେବି ସଂଗଠନ, ଆପଦ ମିତ୍ର ସ୍ଵେଛାସେବି, ସିଭିଲ ଡେ଼ଫେନ୍ସ, ଅଗ୍ନିଶମ ବିଭାଗ ଅଧିକାରୀ, ବାଲେଶ୍ୱର, ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଏବଂ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସଭାପତି ଓ ସମ୍ପାଦକ ମାନେ ଯୋଗଦାନ କରିଥିଲେ I ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ବାଲେଶ୍ୱର, ଶ୍ରୀ ଅବନୀ କାନ୍ତ ଭୂୟାଁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ପରିଶେଷରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।


