ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା ଅଧୀନରେ ଓଡ଼ିଶାର ପ୍ରଥମ ସୋଲାର ଦିଦି ବ୍ୟାଚ୍ଙ୍କ ପ୍ରଶିକ୍ଷଣ ସଫଳତାର ସହ ସମ୍ପନ୍ନ
କଟକ,(ୱାଇ ଏନ ଏସ):ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), କଟକସ୍ଥିତ ଟାଟା ପାୱାର ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ) ଠାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ସୋଲାର ଦିଦି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ପ୍ରଥମ ସୋଲାର ହେଲ୍ପର ପ୍ରଶିକ୍ଷଣ ବ୍ୟାଚ୍ ସଫଳତାର ସହ ସେମାନଙ୍କ ଟ୍ରେନିଂ ଶେଷ କରିଛନ୍ତି। ଏହି ସୋଲାର ଦିଦି କାର୍ଯ୍ୟକ୍ରମ ହେଉଛି ଭାରତ ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଏବଂ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଏକ ଯୌଥ କାର୍ଯ୍ୟକ୍ରମ, ଯାହାକି ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ସହରାଞ୍ଚଳ ଆଜୀବିକା ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଛି।
କଟକ ମହାନଗର ନିଗମ (ସିଏମସି) ଦ୍ୱାରା ଚିହ୍ନଟ ହୋଇଥିବା ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ସହରାଞ୍ଚଳ ଆଜୀବିକା ମିଶନ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସମୁଦାୟ ୨୯ ଜଣ ମହିଳା ପ୍ରତିନିଧି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିଛନ୍ତି। ଏହି ଅଂଶଗ୍ରହଣକାରୀମାନଙ୍କୁ ରୁଫ୍ଟପ୍ ସୋଲାର ପ୍ରଣାଳୀର ବୈଷୟିକ ଜ୍ଞାନ, ଯେପରିକି ସ୍ଥାପନ ପ୍ରକ୍ରିୟା, ପରିଚାଳନା ଓ ରକ୍ଷଣାବେକ୍ଷଣ, ଉପଭୋକ୍ତା ସଚେତନତା ଏବଂ ସୌର ଶକ୍ତି ବ୍ୟବହାରର ପ୍ରସାର ବିଷୟରେ ଶିକ୍ଷା ଦିଆଯାଇଛି।
ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସିଟି ଆକ୍ସିଲେରେଟର ପ୍ରୋଗ୍ରାମ (ସିଏପି) ଟିମ୍ ସହାୟତା କରିଥିଲେ, ଯାହାଙ୍କୁ ଏମଏନଆରଇ ର ସହଯୋଗ ମିଳିଥିଲା। ଏଥିସହିତ ଟାଟା ପାୱାର ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍’ (ଟିପିଏସଡିଆଇ) ଏହି ସୋଲାର ଦିଦି ଅଭିଯାନର ପ୍ରଶିକ୍ଷଣ ସହଯୋଗୀ ଭାବେ ଦାୟିତ୍ୱ ତୁଲାଇଥିଲା।
ଏହି ପ୍ରଥମ ବ୍ୟାଚ୍ର ସଫଳ ସମାପ୍ତି ମହିଳାମାନଙ୍କୁ ସୋଲାର ଦିଦି ଭାବେ ସଶକ୍ତ କରିବା ଏବଂ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର କାର୍ଯ୍ୟକାରିତାରେ ତୃଣମୂଳ ସ୍ତରର ଅଂଶଗ୍ରହଣକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ ଅଟେ। ଟିପିସିଓଡିଏଲ ସହିତ ମିଳିତ ଭାବେ, ଏହି ପ୍ରଶିକ୍ଷିତ ସୋଲାର ଦିଦିମାନେ ସମଗ୍ର କଟକ ସହରରେ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲଏ) ମଡେଲ୍ ଏବଂ ପିଏମ୍ ସୂର୍ଯ୍ୟ ଘର ଯୋଜନାର ପ୍ରସାର କାର୍ଯ୍ୟରେ ନିୟୋଜିତ ହେବେ। ସେମାନେ ଲୋକମାନଙ୍କ ପାଖରେ ପହଞ୍ଚିବା, ହିତାଧିକାରୀମାନଙ୍କୁ ଯୋଜନା ସହ ଯୋଡ଼ିବା ଏବଂ ସ୍ଥାନୀୟ ଅଞ୍ଚଳରେ ରୁଫ୍ଟପ୍ ସୋଲାର ଲଗାଇବାରେ ସାହାଯ୍ୟ କରିବେ।
ଏହି ଅବସରରେ ଟିପିସିଓଡିଏଲ ର ସିଇଓ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ଓଡ଼ିଶାର ପ୍ରଥମ ସୋଲାର ଦିଦି ପ୍ରଶିକ୍ଷଣ ବ୍ୟାଚ୍ର ସଫଳ ସମାପ୍ତି ମହିଳାମାନଙ୍କୁ ସଶକ୍ତ କରିବା ଏବଂ ରୁଫ୍ଟପ୍ ସୌର ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମହିଳାମାନଙ୍କୁ ବୈଷୟିକ ଜ୍ଞାନ ଏବଂ ସାମାଜିକ ସଶକ୍ତୀକରଣ କ୍ଷେତ୍ରରେ ଦକ୍ଷ କରି, ଆମେ ସ୍ଥାନୀୟ ସ୍ତରରେ ଏଭଳି ପ୍ରତିନିଧି ପ୍ରସ୍ତୁତ କରୁଛୁ ଯେଉଁମାନେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରିବେ ଏବଂ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ଲାଭ ପହଞ୍ଚାଇବାରେ ସାହାଯ୍ୟ କରିବେ। ଏହି ପରିବର୍ତ୍ତନଶୀଳ ଅଭିଯାନରେ ସହଯୋଗ କରି ଟିପିସିଓଡିଏଲ ଗର୍ବିତ, ଯାହା ଦୀର୍ଘସ୍ଥାୟୀ ଜୀବିକା ନିର୍ବାହ ସହିତ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରୁଛି।
ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଏଥିସହ ସହରାଞ୍ଚଳରେ ସ୍ୱଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତି ଆଡ଼କୁ ଅଗ୍ରସର ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ଏହା ମହିଳା ସଶକ୍ତୀକରଣ, ଦକ୍ଷତା ବିକାଶ ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଦୀର୍ଘସ୍ଥାୟୀ ଶକ୍ତି ସମାଧାନର ପ୍ରସାର ଦିଗରେ ଏକ ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।


