ଜିଲ୍ଲାସ୍ତରୀୟ ପ୍ରାକୃତିକ କୃଷି ଏବଂ ଜୈବିକ କୃଷି କର୍ମଶାଳା
କଟକ,(ଓ୍ବାଇଏନଏସ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଆଜି କଟକ ଜିଲ୍ଲାସ୍ତରୀୟ ପ୍ରାକୃତିକ କୃଷି ଏବଂ ଜୈବିକ କୃଷି କର୍ମଶାଳା ଜଗତପୁରସ୍ଥିତ କୃଷକ ତାଲିମ ଏବଂ ଦକ୍ଷତା ବିକାଶ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । କର୍ମଶାଳାରେ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବାକୁ ବୈଜ୍ଞାନିକମାନେ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ବୈଷୟିକ ଅଧିବେଶନରେ କଟକର ମୃତ୍ତିକା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଦିଲ୍ଲୀପ କୁମାର ଷଡଙ୍ଗୀ ପ୍ରାକୃତିକ କୃଷି, ଜୈବିକ ଚାଷ, ମୃତ୍ତିକା ସ୍ୱାସ୍ଥ୍ୟ, ଜଳ ସଂରକ୍ଷଣ ଏବଂ ରାସାୟନିକ ଇନପୁଟ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ସେହିପରି କଟକର ବରିଷ୍ଠ ବୈଜ୍ଞାନିକ ଡ. ରଞ୍ଜନ କୁମାର ମହାନ୍ତ ବ୍ୟବହାରିକ କୃଷି ସମାଧାନ, କୃଷି ଯାନ୍ତ୍ରିକୀକରଣ, ରାସାୟନିକ ସ୍ଥିତିବାନ କୃଷି ପ୍ରଣାଳୀ ଉପରେ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଶେଷରେ କଟକର କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ଜେନା କୃଷକମାନଙ୍କ ପାଇଁ ସରକାରୀ ପଦକ୍ଷେପ, ବଜାର ସଂଯୋଗ, FPO ଦ୍ୱାରା ମୂଲ୍ୟ ବୃଦ୍ଧି ଏବଂ ଫସଲ ବିବିଧତା ଉପରେ ଆଲୋଚନା କରିଥିଲେ । ଜୈବିକ ସୁଗନ୍ଧିତ ଧାନ ଉତ୍ପାଦନ ସହିତ ଜଡିତ ଲୋକ ସମବାୟ ପ୍ରତିଷ୍ଠାନ, ନିଆଳି ଜୈବିକ ଚାଷ ଏବଂ କୀଟପତଙ୍ଗ ପରିଚାଳନା ଦିଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସୁଶାନ୍ତ ନାୟକ, ନିର୍ବାହୀ ଯନ୍ତ୍ରୀ (କୃଷି) ଶ୍ରୀ ପ୍ରଶାନ୍ତ ଜେନା, ସହକାରୀ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀମତୀ ମନୀଷା ରାଉତ, କୃଷି ଜିଲ୍ଲା ଅଧିକାରୀ, ଆଠଗଡ ଶ୍ରୀ ଶିବାଶିଷ ମିଶ୍ର ଏବଂ କଟକ ସଦରର ATMA ଅଧ୍ୟକ୍ଷ ରମାପ୍ରସାଦ ବିଶ୍ୱାଳ ପ୍ରମୁଖ କର୍ମଶାଳାରେ ସାମିଲ ଥିଲେ। ବୈଠକ ପ୍ରାରମ୍ଭରେ ସହାୟକ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଅସୀମା ମିଶ୍ର ମଞ୍ଚରେ ଅତିଥିମାନଙ୍କୁ ସ୍ୱାଗତ କରିବ ସହ କର୍ମଶାଳା ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକର ପ୍ରଗତିଶୀଳ ଚାଷୀ, ଏଫପିଓ, ସିବିଓ ଏବଂ ପ୍ରାକୃତିକ କୃଷି ଏବଂ ଜୈବିକ ଇନପୁଟ୍ ସହିତ ଜଡିତ ନିର୍ମାତା ଏବଂ ଡିଲରଙ୍କ ସମେତ ୧୫୦ ଜଣ ଅଂଶଗ୍ରହଣକାରୀ, ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ଏବଂ CRRI ବୈଜ୍ଞାନିକଙ୍କ ସହିତ ବିଭାଗୀୟ ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ କେତେକ ଚାଷୀ ସେମାନଙ୍କର ଜୈବିକ ଉତ୍ପାଦ ପ୍ରଦର୍ଶନ କରିଥିଲେ ଓ ପ୍ରଗତିଶୀଳ ଚାଷୀ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିଲେ।


