ଶ୍ରୀବଳଦେବଜୀଉଙ୍କ ରଥନିର୍ମାଣର ସମୀକ୍ଷା କଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ରଥ ନିର୍ମାଣ ପ୍ରସ୍ତୁର୍ତି ସମ୍ପର୍କରେ ଶୁକ୍ରବାର ଇଛାପୁର ଯାତ୍ରୀନିବାସରେ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ଆୟର ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ରଥ ନିର୍ମାଣ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀଜଗନ୍ନାଥଙ୍କ ରଥର ମୁଖ୍ୟ ଭୋଇ ମହାରଣା ଆସି ରଥ ନିର୍ମାଣକୁ ଅନୁଧ୍ୟାନ କରିବା ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଗଲା । ଏଥି ସହିତ ଭୁବନେଶ୍ୱରର ଆଇ.ଆଇ.ଟି ଇଞ୍ଜିନିୟର ମାନସରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଆସି ରଥ ନିର୍ମାଣର ଅନୁଧ୍ୟାନ କରିବେ ବୋଲି ସମ୍ମତି ଦେଇଥିବା ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଆୟର ସୂଚନା ଦେଇଥିଲେ ଯେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥର ଏକ ଚକ ଅଣାଯାଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯିବ । ରଥଦାଣ୍ଡ ପାଶ୍ୱର୍ରେ କଲଭର୍ଟ ଓ ଡ୍ରେନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ପୂର୍ତ୍ତର୍ି ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଜିୟୁଙ୍କ ଚନ୍ଦନ ପୋଖରୀ ପଙ୍କ ଉଦ୍ଧାର, ସଫେଇ ଓ ଚନ୍ଦନ ତାଲା ମନ୍ଦିରର ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗତ ଜୁନ ୧୮ତାରିଖରେ ଟ୍ରଷ୍ଟ ବୋର୍ଡର ସଭାପତି ଅତିରିକ୍ତ ଜିଲ୍ଲାପାଳ ଓ ସଭ୍ୟମାନେ ଚନ୍ଦନ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିବା ସମ୍ପର୍କରେ ଆଲୋଚଲା ହୋଇଥିଲା । ଏହି କାର୍ଯ୍ୟ ଯଥା ଶୀଘ୍ର ସାରିବା ପାଇଁ ଟ୍ରଷ୍ଟ ବୋର୍ଡକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମନ୍ଦିର ସେବାୟତଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ନିତୀକାନ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ତହସିଲଦାର କୁଇନ ଜେନା, କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ପୁର୍ତ୍ତବିଭାଗର ଇଞ୍ଜିନିୟରମାନେ, ଟ୍ରଷ୍ଟ ବୋର୍ଡ ସଭ୍ୟ ପଣ୍ଡିତ ହୃଶୀକେଷ ରଥ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଅନନ୍ତ ଚରଣ କର, ରଞ୍ଜନ କୁମାର ପୃଷ୍ଟି, ଅକ୍ଷୟ ମେକାପ, ଟୁକୁ ପତ୍ରୀ, ଉମାକାନ୍ତ ବଳ, ରଘୁନାଥ ମହାରଣା, ପୁପୁନ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


