ରାସ୍ତା ଅବସ୍ଥାକୁ ନେଇ ତାତିଲେ ଲୋକେ
ହାଟଡିହି(ଓ୍ବାଇଏନଏସ): ହାଟଡିହି -ସମଣା ରାସ୍ତା ଅବସ୍ଥାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ। ବାରମ୍ବାର ଦାବି ପରେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ରାସ୍ତା ମରାମତି କରୁ ନଥିବାରୁ ନିୟମିତ ଦୁର୍ଘଟଣା ମାନ ଘଟୁଥିବା ଯୋଗୁଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାଟି ଉପରେ ସମଣା, ବଡ଼ରମ୍ପାସ, ମରେଇଗାଁ, ଇଞ୍ଚୋଳ, ଆମ୍ବୋ, ହାବଳେଶ୍ୱର, ଆଦି ପଞ୍ଚାୟତର ଲୋକେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। କିନ୍ତୁ ଏହି ରାସ୍ତାଦେଇ ନିୟମିତ ଭାରୀଯାନ ବୋଝେଇ ବାଲିଗାଡି ଯାତାୟାତ ଦ୍ୱାରା ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ବିଶେଷକରି ବରାଙ୍ଗ ଛକରେ ୫ଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିବା ସହିତ ୩/୪ ଫୁଟ ଗଭୀରର ଖାଲ ଖମା ସୃଷ୍ଟି ହୋଇ ଯାତାୟାତ ଅନୁପଯୋଗୀ ହୋଇ ପଡିଛି। ଏହି ରାସ୍ତାଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଯାତାୟାତ ବେଳେ ନାହିଁ ନଥିବା ଅସୁଵିଧା ଭୋଗୁଥିବା ବେଳେ ସାଧାରଣ ଲୋକେ ନିୟମିତ ଦୁର୍ଘଟଣାର ସମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ହେଲେ ଖାଲ ଗୁଡିକ ପାଣିରେ ପୂରିଯାଉଥିବା ଯୋଗୁଁ ଖାଲର ଗଭୀରତା ଜାଣି ନପାରି ଅନେକ ବାଇକ ଆରୋହୀ ଦୁର୍ଘଟଣାରେ ଆହତ ହେଉଥିବା ଦେଖିବାକୁ ମିଳିଛି। ଏନେଇ ବାରମ୍ବାର ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ବିଭାଗ ଖାଲ ଖମା ଗୁଡିକୁ ପୋତି ଯାତାୟାତର ସୁବିଧା କରୁ ନଥିବା ଅଜିତ ସାହୁ, ଧୁଶାସନ ବେହେରା, ଅଧର ବେହେରା, ମହେନ୍ଦ୍ର ନାୟକ, ତପନ ଧୀର, ଚଗୁଲୁ ବାରିକ, ଟେରୁ ବେହେରା, ଜଳଧର ନାୟକ, ଶତ୍ରୁଘ୍ନ ବେହେରା ମଦନ ମୋହନ ବିଶ୍ୱାଳ ପ୍ରମୁଖ ଅଭିଯୋଗ କରିଛନ୍ତି। ଏପରିକି ଆଜି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ବସିରହି ଗାଡି ଚଳାଚଳ ବନ୍ଦ ମଧ୍ୟ କରିଥିଲେ।


