ଅନ୍ତର୍ଜାତୀୟ ଯୋଗ ଦିବସ: ବୃଦ୍ଧି ପାଇବାରେ ଲାଗିଛି ମହିଳା ଯୋଗାଭ୍ୟାସୀଙ୍କ ସଂଖ୍ୟା
ଆସିକା (ୱାଇଏନ୍ଏସ୍) :ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଯୋଗ ଏବଂ ପ୍ରାଣାୟମ ଅପରିହାର୍ଯ୍ୟ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ରାତି ପାହିବା ମାତ୍ରା ବିଗତ କିିଛି ମାସ ହେଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମହିଳା ଯୋଗାଭ୍ୟାସୀଙ୍କ ସଂଖ୍ୟା । ଆସିକା ସହରର ନିରଞ୍ଜନ ନଗର ସ୍ଥିତ କୃଷ୍ଣସିଂହ ପାଠାଗାର ପରିସରରେ ସ୍ଥାପିତ କଲ୍ୟାଣ ମଣ୍ଡପର ପରିସରରେ ଜଣାଶୁଣା ଅଭିିଜ୍ଞ ଯୋଗ ପ୍ରଶିକ୍ଷିକା ଇ.ସନ୍ତୋଷିନୀ ପାତ୍ର ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଯୋଗାଭ୍ୟାସ ଶିକ୍ଷା ପ୍ରଦାନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଆସନ୍ତାକାଲି ଅର୍ଥାତ୍ ଜୁନ୍ ମାସ ୨୧ ତାରିଖରେ ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ । ନିୟମିତ ଯୋଗକଲେ ଶାରୀରିକ ଓ ମାନସିକ ଚାପରୁ ମୁକ୍ତି ମିଳିବା ସାଙ୍ଗକୁ ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଅନ୍ୟୁନ ଦୁଇ ଘଣ୍ଟା ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଓ ସତେଜ ଜୀବନଯାପନ କରିପାରିବ ବୋଲି ମହିଳା ଯୋଗ ପ୍ରଶିକ୍ଷିକା ଇ.ସନ୍ତୋଷିନୀ ପାତ୍ର ସୂଚନା ଦେଇଛନ୍ତି । ମହିଳା ଯୋଗ ପ୍ରଶିକ୍ଷିକା ଇ.ସନ୍ତୋଷିନୀ ପାତ୍ରଙ୍କ ଏହି ନିରନ୍ତର ଯୋଗ ଶିକ୍ଷା ସାଧାରଣରେ ପ୍ରଶଂସାର ପାତ୍ର ପାଲଟିଥିବା ବେଳେ ତାଙ୍କ ଠାରୁ ଯୋଗଶିକ୍ଷା ଗ୍ରହଣ କରି ବହୁ ମହିଳା ସୁସ୍ଥ ଓ ନିରୋଗ ଜୀବନଯାପନ କରୁଛନ୍ତି ବୋଲି ସାଧାରଣରେ ଅଲୋଚିତ ହେଉଛି। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ । ଏହି ଯୋଗ ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଶାନ୍ତି ପ୍ରଦାନ କରିବା ସାଙ୍ଗକୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଘରେ ଘରେ ଯୋଗ ପ୍ରାଣାୟମକୁ ପହଞ୍ଚାଇବା ସହିତ ଏକ ସୁସ୍ଥ, ସ୍ୱସ୍ଥ ସମାଜ ଗଠନ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ଯୋଗ ପ୍ରଶିକ୍ଷିକା ଇ.ସନ୍ତୋଷିନୀ ପାତ୍ର ।


