ଅଙ୍ଗନବାଡି ଦିଦିମାନଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ

କାକଟପୁର/ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ କାକଟପୁର ବ୍ଲକ ପରିସର ରେ ଉତ୍ସବମୁଖର ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରେ ବ୍ଲକ ଅଧୀନ ଅଙ୍ଗନବାଡି କର୍ମୀମାନଙ୍କୁ ସରକାରଙ୍କ ତରଫରୁ ସ୍ମାର୍ଟ ଫୋନ୍ ବଣ୍ଟନ କରାଯାଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଓ ବିଡିଓ ନାରାୟଣ ଦୀକ୍ଷିତିଙ୍କ ଉପସ୍ଥିତିରେ ଏହି ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ବିଭାଗର ଅଧିକାରୀ ଓ ଅଧିକାରିଣୀମାନେ ମଧ୍ୟ ଯୋଗଦେଇଥିଲେ। ମଞ୍ଚରେ ଅଙ୍ଗନବାଡି ଦିଦିମାନଙ୍କ ହାତକୁ ନୂଆ ସ୍ମାର୍ଟ ଫୋନ୍ ଦେଇ ଉତ୍ସାହିତ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ କହିଲେ ଅଙ୍ଗନବାଡି କର୍ମୀ ହେଉଛନ୍ତି ସରକାରୀ ଯୋଜନାର ପ୍ରଥମ ସିପାହୀ। ସେମାନଙ୍କୁ ଡିଜିଟାଲ୍ ସଶକ୍ତ କଲେ ହିଁ ଗାଁ ଗାଁ ଯୋଜନା ପହଞ୍ଚିବ। ଏହି ସ୍ମାର୍ଟ ଫୋନ୍ ମାଧ୍ୟମରେ ସେମାନେ ପିଲାଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ଟିକାକରଣ ତଥ୍ୟ ସିଧା ଆପ୍ ମାଧ୍ୟମରେ ଅପଡେଟ୍ କରିପାରିବେ। କାକଟପୁର ବିଡିଓ ନାରାୟଣ ଦୀକ୍ଷିତି କହିଲେ ସରକାରଙ୍କ ୨ ବର୍ଷ ପୂର୍ତ୍ତିରେ ବିକାଶ ଧାରା ଓଡ଼ିଶା ସାରା’ ଅଧୀନରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅଙ୍ଗନବାଡି ଦିଦିମାନେ ଏଣିକି କଲମ-କାଗଜ ଛାଡି ମୋବାଇଲ୍ ଦ୍ୱାରା ରିପୋର୍ଟିଂ କରିବେ। ଏଥିରେ ସ୍ୱଚ୍ଛତା ଆସିବ ଓ କାମ ଶୀଘ୍ର ହେବ। ସ୍ମାର୍ଟ ଫୋନ୍ ପାଇ ଖୁସି ପ୍ରକାଶ କରି ଜଣେ ଅଙ୍ଗନବାଡି କର୍ମୀ କହିଲେ ଆମେ ପିଲାଙ୍କ ଓଜନ, ଖାଦ୍ୟ, ଟିକା ଖାତାରେ ଲେଖୁଥିଲୁ। ଏବେ ଫୋନ୍ ରେ ସିଧା ଫଟୋ ଉଠାଇ ପଠାଇ ଦେବୁ। ସମୟ ବଞ୍ଚିବ, ଭୁଲ ହେବନି। କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ କହିଲେ ଡିଜିଟାଲ୍ ଓଡ଼ିଶା ଗଢ଼ିବା ପାଇଁ ଗାଁ ସ୍ତରରୁ ଆରମ୍ଭ କରିବା ଦରକାର। ଅଙ୍ଗନବାଡି କର୍ମୀଙ୍କୁ ମିଳିଥିବା ସ୍ମାର୍ଟ ଫୋନ୍ ସେହି ଦିଗରେ ଗୋଟେ ବଡ଼ ପଦକ୍ଷେପ। ମଞ୍ଚ ଉପରେ ଉତ୍ସବ, ହାତରେ ନୂଆ ଫୋନ୍ ଧରି ଅଙ୍ଗନବାଡି ଦିଦିମାନଙ୍କ ମୁହଁରେ ଥିଲା ଖୁସି। ଗାଁର ଶିଶୁ ଓ ମା’ଙ୍କ ସେବା ଏଣିକି ଆହୁରି ସହଜ ହେବ ବୋଲି ସେମାନେ ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ