ତହସିଲଦାରଙ୍କ ଉପସ୍ଥିତିରେ ଖୋଲାଗଲା ସମବାୟ ସମିତିରେ ପଡିଥିବା ଚାବି
ଧାମନଗର(ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ବମକୁରା ସୋସାଇଟିରେ ଗତ ଗୁରୁବାର ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ସମବାୟ ସମିତିରେ ପଡିଥିଲା ତାଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ,ଯୋଗାଣ ଇନ୍ସପେକ୍ଟର ସୁବ୍ରତ ଶତପଥୀ,ଧୁଷୁରୀ ଥାନା ଅଧିକାରୀ ଅଜୟ ବେଜ,ଧାମନଗର ବ୍ଲକ ଯୋଗାଣ ଅଧିକାରୀ ପ୍ରୀତିଶ ରଞ୍ଜନ ସାମଲ ପ୍ରମୁଖ ସମବାୟ ସମିତିରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା ବୁଝାସୁଝା ପରେ ପଡିଥିବା ଚାବି ଖୋଲା ଯାଇଥିଲା।ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସମାଧାନ ଲାଗି ପ୍ରଶାସନ ପକ୍ଷରୁ ଏକ ନୂତନ ପିପି ରାଇସ ମିଲକୁ ଏହି ସୋସାଇଟି ସହ ଅଟାଚ୍ କରାଯାଇଛି। ଯେଉଁ ଚାଷୀମାନଙ୍କର ଟୋକନ ଲାପ୍ସ ହୋଇଯାଇଥିଲା। ସେମାନଙ୍କ ନାମକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣିଥରେ ଯୋଡ଼ାଯାଇଛି ଏବଂ ଏଥିଲାଗି ଦୁଇ ହଜାର
କ୍ରିଣ୍ଟାଲର ଟାର୍ଗେଟ୍ ମଧ୍ଯ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ, ସୋସାଇଟିର କର୍ମଚାରୀମାନେ ଅନୁପସ୍ଥିତ ରହିବା ଏବଂ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ଏହାକୁ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୋଧରେ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରାଯାଇଛି। ଆଗକୁ ଯଦି କୌଣସି ଅନିୟମିତତା କିମ୍ବା ଭୁଲ୍ ଦେଖାଯାଏ, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି। ଅବହେଳା ଲାଗି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।


