ତ୍ରିବିଧେଶ୍ୱର ଶୈବପୀଠରେ ସରିଲା ଶୀତଳଷଷ୍ଠୀ ଯାତ୍ରା
ଆସିକା (ୱାଇଏନ୍ଏସ୍) :ଆସିକା ପୌର ପରିଷଦ ଅଧିନସ୍ଥ ୫ନମ୍ବର ୱାର୍ଡର ବଜାର ସାହିରେ ଋଷିକୁଲ୍ୟା ନଦୀ ତଟରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀଶ୍ରୀଶ୍ରୀ ତ୍ରିବେଧେଶ୍ୱର ମହାପ୍ରଭୁଙ୍କ ବିବାହ ଗତ୧୮ ତାରିଖ ଦିନ ବ୍ରହ୍ମମୁହୁର୍ତ୍ତରେ ବୈଧିକ ରୀତିରେ ସମ୍ପନ୍ନ ହୋଇଥିଲା। ଦୀର୍ଘ ୬ ଦିନ ଧରି ଅସ୍ଥାୟୀ ମଣ୍ଡପରେ ଦେବଦେବ ମହାଦେବ ଓ ଜଗତ୍ଜନନୀ ମାତା ପାର୍ବତୀଙ୍କୁ ଶ୍ରଦ୍ଧାଳୁ ଭକ୍ତ ମାନେ ନିଷ୍ଟାର ସହ ପୂଜାର୍ଚ୍ଚନା କରିବା ପରେ ବୁଧବାର ରାତ୍ରରେ ଦେବନୀତି ସମ୍ପନ୍ନ ପରେ ବାଦ୍ୟବାଜଣାର ତାଳେତାଳେ ଦେବଦମ୍ପତିଙ୍କ ନଗରପରିକ୍ରମା ଆରମ୍ଭ ହୋଇଥିଲା। ରଙ୍ଗବେରଙ୍ଗର ଫୁଲରେ ସୁସଜ୍ଜିତ ବୃଷଭବାହିନୀ ରଥରେ ଦେବଦମ୍ପତିଙ୍କୁ ଅଧିଷ୍ଟିତ କରାଯାଇ ନଗରପରିକ୍ରମା କରାଯାଇ ଆସିକା ସହରର ବଜାରସାହି, ସୁବର୍ଣ୍ଣପେଟା ସାହି, ଆର୍ବନବ୍ୟାଙ୍କ ରୋଡ, ନିରଞ୍ଜନ ନଗର, ଓଡିଆ ସାହି, ସୁନାମ୍ବ ସାହି, ବ୍ରାହ୍ମଣ ସାହି ସମେତ ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରାଯାଇଥିଲା। ରାଜ୍ୟର କୋରାପୁଟ, ରାଉରକେଲା, ଖୋର୍ଦ୍ଧା, ଢେଙ୍କାନାଳ ସମେତ ବିଭିନ୍ନ ଅଞ୍ଚଳର କଳାକାର ମାନେ ଦେବଦମ୍ପତିଙ୍କ ନଗରପରିକ୍ରମା କାର୍ଯ୍ୟକ୍ରମରେ ସାମିଲ ହୋଇ ଆକର୍ଷଣୀୟ ଓ ଚିତ୍ତାକର୍ଷକ କଳା ପ୍ରଦର୍ଶନ କରିଥିଲେ। ଦେବଦମ୍ପତିଙ୍କ ନଗର ପରିକ୍ରମା ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ତ୍ରିବିଧେଶ୍ୱର ଶୈବପୀଠରେ ଦେବଦମ୍ପତିଙ୍କ ବିବାହ ଓ ନଗରପରିକ୍ରମା ବେଶ୍ ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା। ତ୍ରିବିଧେଶ୍ୱର ଶୈବପୀଠରେ ଚଳିତବର୍ଷ ଅନୁଷ୍ଟିତ ହୋଇଥିବା ଦେବଦମ୍ପତିଙ୍କ ମାଙ୍ଗଳିକ କାର୍ଯ୍ୟ ଓ ନଗର ପରିକ୍ରମାକୁ ସୁପରିଚାଳନା କରିବା ଦିଗରେ ଶୀତଳଷଷ୍ଠୀ ଯାତ୍ରା ପରିଚାଳନା କମିଟି ସଭାପତି ତଥା ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ମହାରଣା, ଆଧ୍ୟାତ୍ମିକପ୍ରେମୀ ପି.ଶୁଭମ୍ ପାତ୍ର, ଚନ୍ଦ୍ରଶେଖର ମୁନି, ନିଗମାନନ୍ଦ ରାଉତ, ସତୀଶ୍ ଆଚାରୀ, ଶୁଭମ୍ ସାହୁ, ଦୁର୍ଗାମାଧବ ମୁନି, ନରସିଂହ ମୁନି, ଜଗବନ୍ଧୁ ମହାରଣା, ସମୀର ପ୍ରଧାନ, ରାହୁଳ ଆଚାରୀ, କେ.ସମ୍ବିତ୍ ଆଚାରୀ, ଏମ୍.ଶିବ ଆଚାରୀ, ସୋନୁ ପ୍ରଧାନ, ଜିତ୍ କୁମାର ସାହୁ, ରୁଦ୍ର ମୁନି, ଆୟୁଷ୍ମାନ୍ ନାହାକ, ଶ୍ରୀନିବାସ ମହାନ୍ତି, କେ.ବିଭି ଆଚାରୀ, ଅଜିତ୍ କୁମାର ମୁନି, ନାନୁ ମୁନି, ତାରିଣୀ ଆଚାରୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ବାବା ତ୍ରିବିଧେଶ୍ୱର ମହାଦେବ ଓ ଜଗତ୍ଜନନୀ କଲ୍ୟାଣମୟୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଗତ ୧୮ ତାରିଖରେ ସମ୍ପର୍ଣ୍ଣ ହେବା ପରେ ବୁଧବାର ଶହଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ, ଘଣ୍ଟ, ଶଙ୍ଖ ନାଦ ସହ ହରହର ମହାଦେବ ଧ୍ୱନୀରେ ନଗର ପରିକ୍ରମା ଉତ୍ସବ ଅନୁଷ୍ଟିତ ହୋଇଥିଲା। ପ୍ରଭୁ ତ୍ରିବିଧେଶ୍ୱର ଓ ମାତା ପାର୍ବତୀଙ୍କ ଯୁଗଳବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟ ଉତ୍ସୁକତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା। ଦେବଦେବ ମହାଦେବ ଓ ମାତା ପାର୍ବତୀ ସୁସଜ୍ଜିତ ବୃଷଭବାହିନୀ ରଥରେ ଉପବିଷ୍ଟ ହୋଇ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ପରେ ଗୁରବାର ପ୍ରତ୍ୟୁଷରେ ସ୍ୱମନ୍ଦିରକୁ ପ୍ରବେଶ କରିଥିଲେ । ଆସିକା ସହରର ବଜାର ସାହି ସ୍ଥିତ ପ୍ରସିଦ୍ଧ ଆରାଧ୍ୟ ବାବା ତ୍ରିବିଧେଶ୍ୱର ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅବସରରେ ଅନୁଷ୍ଠିତ ନଗର ପରିକ୍ରମା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ଆସିକା ଏନ୍ଏସି କାଉନସିଲର ନିଗମାନନ୍ଦ ରାଉତ, ପୂର୍ବତନ କାଉନସିଲର୍ କୈଳାଶ ଚନ୍ଦ୍ର ପ୍ରଧାନ, ବିଜେଡି ନେତା ସାଇରାଜ ଦଳେଇ, ବିମଳ ପ୍ରଧାନ, ଅନନ୍ତ ଭଂଜ, ଆକାଶ ସ୍ୱାଇଁ, କେଶବ ଦାଶଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଯୋଗଦେଇ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳକାମନା କରିଥିବା ଦେଖିବାକୁ ମିଳିଥିଲା । ଚଳିତବର୍ଷର ଶୀତଳଷଷ୍ଠୀ ଯାତ୍ରାର ଅନ୍ତିମ ଦିବସରେ ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ମହାରଣାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ହୋଇଥିବା ଆଖି ଝଲସିଲା ଭଳି ବିରାଟ ପଟୁଆର ସବୁଠାରୁ ଆକର୍ଷଣୀୟ ହୋଇଥିଲା ବେଳେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଆଗମନକୁ ନେଇ ସାହିବସ୍ତି ଉତ୍ସବମୁଖର ହୋଇପଡିଥିଲା । ଆସିକା ପୌର ପରିଷଦ ଅଧିନସ୍ଥ ୫ ନମ୍ବର ୱାର୍ଡର ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଐତିହାସିକ ତଥା ପ୍ରଚୀନ ଶୈବପୀଠ ବାବା ତ୍ରିବିଦ୍ଧେଶ୍ୱର ମହାପ୍ରଭୁଙ୍କ ପ୍ରସିଦ୍ଧ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଯାଇଛି । ହରିବୋଲ ଓ ହୁଳହୁଳ ଧ୍ୱନୀରେ ଦେବଦମ୍ପତିଙ୍କୁ ନଗର ପରିକ୍ରମା କରାଯାଇଥିଲା ବେଳେ ଶିବସ୍ତୁତି ଉଚ୍ଚାରଣ ସହ ଶାନ୍ତିପାଠ, ପଞ୍ଚଗବ୍ୟ, ପଞ୍ଚାମୃତରେ ମହାଭିଷେକ ରୀତିନୀତି ସାଙ୍ଗକୁ ଆଳତୀ କରାଯିବା ପରେ ଦେବଦମ୍ପତିଙ୍କୁ ଗୁରବାର ପ୍ରତ୍ୟୁଷରେ ମନ୍ଦିର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।


