ଅବ୍ୟବସ୍ଥା ଘେରରେ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
କଟକ, (ଓ୍ବାଇଏନଏସ): ଅବହେଳିତ କଟକ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସବୁ କିଛି ଥାଇ ମଧ୍ୟ ମିଳୁନି ସୁବିଧା। ଖୋଲି ପାରୁନି ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ଶୌଚାଳୟ। ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। କଟକ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଆହାର କେନ୍ଦ୍ର ପାଖରୁ ଆରମ୍ଭ କରି ମିସନ ଶକ୍ତି କାଫେ, ଶୈାଚାଳୟ ଆଦି ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏହି ସବୁ ଥାଇ ମଧ୍ୟ ଲୋକମାନେ ଏହାର ସୁବିଧା ପାଇ ପାରୁନାହାନ୍ତି। ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ଶୌଚାଳୟ ନିର୍ମାଣ ହେବା ପରଠାରୁ ତାଲା ଝୁଲୁଛି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଚାଉଳିଆଗଞ୍ଜ ସମେତ ସହର ବିଭିନ୍ନ ସ୍ଥାନର ଲୋକମାନେ ନିର୍ଭର କରିଥାନ୍ତି। ଦୁଇ ବର୍ଷରୁ ଅଧିକ ସମୟ ହେବ ନିର୍ମାଣ ସରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଖୋଲି ପାରୁନାହିଁ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଆବଶ୍ୟକତା ଠାରୁ କମ୍ ଡାକ୍ତର ରହିଛନ୍ତି। ୨ବର୍ଷ ହେବ ନାହାନ୍ତି ସ୍ଥାୟୀ ଅଧୀକ୍ଷକ। ୩୦ଶଯ୍ୟା ବିଶିଷ୍ଟ ଏହି ପ୍ରମୁଖ ଡାକ୍ତରଖାନା ଏବେ ସ୍ବାସ୍ଥ୍ୟ ବିଭାଗର ନଜର ଆଢୁଆଳରେ ରହିଯାଇଛି। ସାଧାରଣ ରୋଗ ଥିଲେ ମଧ୍ୟ ରୋଗୀଙ୍କୁ ଏସ୍ସିବି ରେଫର କରି ଦିଆଯାଉଛି। ଶଯ୍ୟା ଥିଲେ ବି ଆଡ୍ମିସନ କରାଯାଉନାହିଁ। ରାତିରେ ଯଦି କୌଣସି ରୋଗୀ ଆସନ୍ତି ତେବେ ଡାକ୍ତରଙ୍କୁ ପାଇବା କଷ୍ଟକର। ଏନେଇ କଟକ ମେୟର ସୁବାସ ସିଂହ କହିଛନ୍ତି, ସ୍ଥାୟୀ ଅଧୀକ୍ଷକ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ଆହାର କେନ୍ଦ୍ର ଓ ମିସନ ଶକ୍ତି କାଫେ ଖୋଲାଯିବ। ତେବେ କେଉଁଦିନ କଟକ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।


