ଜିଲ୍ଲାସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନ ଉଦ୍‌ଯାପିତ

ଛତ୍ରପୁର, (ଓ୍ବାଇଏନଏସ):  ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା ୧୦ ଦିନବ୍ୟାପୀ “ନିଶାମୁକ୍ତ ଭାରତ ଅଭିଯାନ”  ଛତ୍ରପୁରଠାରେ ବ୍ୟାପକ ଜନସହଭାଗିତା ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ନିଶା ସେବନର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ନିଶାମୁକ୍ତ ସମାଜ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା। ଏହି ଅବସରରେ ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଏବଂ ସୁନୀଲ କୁମାର କେରକେଟା ମିଳିତ ଭାବେ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ନିଶାମୁକ୍ତି ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଓ ବ୍ୟାନର ଧରି ଅଂଶଗ୍ରହଣକାରୀମାନେ ଛତ୍ରପୁର ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଏକ ସମୂହ ଶପଥପାଠ କରାଯାଇଥିଲା । ଉପସ୍ଥିତ ସମସ୍ତେ ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ କରିବା ଓ ସମାଜରୁ ନିଶା ଦୂର କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଜିଲ୍ଲାବ୍ୟାପୀ ପାଳିତ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ସ୍କୁଲ, କଲେଜ ଓ ବ୍ଲକ ସ୍ତରରେ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା, ଶପଥ ଗ୍ରହଣ ଓ ସଚେତନତା ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ନିଶାମୁକ୍ତ ବ୍ୟକ୍ତିବିଶେଷ ଓ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଲକ୍ଷ୍ୟ କରାଯାଇଥିଲା। ନିଶା ସେବନ ଦ୍ୱାରା ସୃଷ୍ଟି ହେଉଥିବା ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟଗତ କ୍ଷତି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ପ୍ରେରିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଖଲ୍ଲିକୋଟ ଏବଂ କନିସିଠାରେ କାର୍ଯ୍ୟରତ ତିନୋଟି ସମନ୍ୱିତ ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ମାଧ୍ୟମରେ ଏହି ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନା, ନିଶାମୁକ୍ତ ବ୍ୟକ୍ତିବିଶେଷ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ। ଏଥିରେ ଛତ୍ରପୁର ଓ ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ବ୍ଲକସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ