ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ ପ୍ରଦାନ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଡଅଁରସ୍ଥିତ ଟି.ଏମ୍. ଏକାଡେମୀରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଡଅଁର ଗ୍ରାମର ଅଜୟ କୁମାର ପ୍ରଧାନଙ୍କ ଝିଅ ଅର୍ପିତା ପ୍ରଧାନଙ୍କୁ ‘ବାବାଜୀ ଚରଣ ଜେନା ସ୍ମାରକୀ’ ସମ୍ମାନ ପ୍ରଦାନ କରାଯାଇଛି। ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାବାଜୀ ଚରଣ ଜେନାଙ୍କ ଜ୍ୟେଷ୍ଠ ପୁତ୍ର ସାଗର ଚନ୍ଦ୍ର ଜେନା ଅର୍ପିତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତିର୍ମୟ ନାୟକ, ଉର୍ମିଳା ଜେନା, ଲକ୍ଷ୍ମୀଧର ଜେନା, ସତ୍ୟବାମା ବାରିକ, ରାଜଶ୍ରୀ ବାରିକ, ଓମ୍ ପ୍ରକାଶ ସେଠୀ, ଜଗୁ ହେମ୍ବ୍ରମ୍, ସବିତା ନାୟକ, ଜ୍ୟୋତିର୍ମୟୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା ସମିତିର ସଦସ୍ୟ-ସଦସ୍ୟା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ପ୍ରତି ଉତ୍ସାହିତ କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ସ୍ମାରକୀ ସମ୍ମାନ ପ୍ରଦାନ କରାଯାଉଛି ବୋଲି ଏହାର ପ୍ରତିଷ୍ଠାତା ଅଧ୍ୟାପକ ମହେଶ୍ୱର ଜେନା କହିଥିଲେ। ଅର୍ପିତାଙ୍କ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଥିଲା।


