ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ: ସମସ୍ତ ବୁଥରେ ଶତ ପ୍ରତିଶତ ଡିଜିଟାଇଜେସନ୍ ଶେଷ
ଆସିକା (ୱାଇଏନ୍ଏସ୍) ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ମେ ମାସ ୩୦ ତାରିଖ ଠାରୁ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୨୧୪ଟି ବୁଥ୍ରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆଉମାତ୍ର ୨ ଦିନ ପରେ ଅର୍ଥାତ୍ ୨୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶତ ପ୍ରତିଶତ ଡିଜିଟାଇଜେସନ୍ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ଭି.କାର୍ତ୍ତୀଭାସନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ଏବିଡିଓ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲର ଅତିରିକ୍ତ ତହସିଲଦାର ଅମରେଶ୍ ସାବତଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ବିଏଲ୍ଓ ସୁପରଭାଇଜର ରାମନାଥ ପଟ୍ଟନାୟକ, ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ଧୋବା ବେହେରା, ନିରଞ୍ଜନ ପରିଡା, ସତ୍ୟନାରାୟଣ ସେଠୀ, ବଂଶୀଧର ପରିଡାଙ୍କ ସମେତ ସମସ୍ତ ବିଏଲ୍ଓ ସୁପରଭାଇଜର ଏବଂ ବିଏଲ୍ଓ ମାନେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ୍ ତଥା ତ୍ରୁଟିମୁକ୍ତି ଭାବେ ସଂପାଦନ କରିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୨୧୪ଟି ବୁଥ୍ରେ ଚାଲିଥିବା ବୃହତ୍ ଗଣତାନ୍ତ୍ରିକ କାର୍ଯ୍ୟକ୍ରମରେ ଶତ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ସହ ଇ-ପରିପୂରଣ (ଇ-ଡିଜିଟାଇଜେସନ୍) କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଆସିକା ବ୍ଳକର ୨୭ଟି ପଞ୍ଚାୟତ ଓ ପୌର ପରିଷଦର ୧୮ଟି ୱାର୍ଡର ୧୫୩ଟି ବୁଥ୍ ଏବଂ କବିସୂର୍ଯ୍ୟନଗର ବ୍ଳକର ୧୨ଟି ପଞ୍ଚାୟତର ୬୧ଟି ବୁଥ୍ ଏହିିଭଳି ସମୂଦାୟ ୨୧୪ଟି ବୁଥ୍ରେ ଡିଜିଟାଇଜେସନ୍ କାର୍ଯ୍ୟ ସଫଳତାର ସହ ଶେଷ ହୋଇସାରିଛି । ଆସନ୍ତା ଜୁଲାଇ ମାସ ୫ ତାରିଖରେ ନୂତନ ଚିଠା ଭୋଟର ତାଲିକା ପ୍ରକାଶ ପାଇବାର କାର୍ଯ୍ୟକ୍ରମ ରହିଛି । ଯେଉଁ ଭୋଟରମାନଙ୍କ ନାମ ଭୂଲବଶତଃ କିମ୍ବା କୌଣସି କାରଣରୁ ଚିଠା ଭୋଟର ତାଲିକାରେ କଟି ଯାଇଛି ସେମ।।ନେ ଜୁଲାଇ ମାସ ୫ ତାରିଖରୁ ଅଗଷ୍ଟ ମାସ ୪ତାରିଖ ମଧ୍ୟରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରି ଆପତ୍ତି ଅଭିଯୋଗ କରିପାରିବେ । ଆସନ୍ତା ସେପ୍ଟେମ୍ବର ମାସ ୨ ତାରିଖରେ ଆପତ୍ତି ଓ ଅଭିଯୋଗ ଗୁଡିକର ଶୁଣାଣି ଶେଷ ହେବା ସହ ସେପ୍ଟେମ୍ବର ମାସ ୬ ତାରିଖରେ ଚୁୁଡାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ -୨୦୨୬ ଶେଷ ହେବାକୁ ଆଉମାତ୍ର ୨ ଦିନ ବାକି ଥିବା ବେଳେ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଉଥିବା ଦେଖିବାକୁ ମିଳୁଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସ୍ୱଚ୍ଛ, ନିର୍ଭୁଲ, ନିର୍ଭରଯୋଗ୍ୟ ଓ ତ୍ରୁଟିଶୂନ୍ୟ କରିବା ଲାଗି ନିୟୋଜିତ ଥିବା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ନିଷ୍ଠାପର ପରିଶ୍ରମ, ଦାୟିତ୍ୱବୋଧ ସାଙ୍ଗକୁ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହି ଅଭିଯାନ ଐତିହାସିକ ସଫଳତା ଦିଗରେ ଅଗ୍ରସର ହୋଇପାରିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ଏବଂ ଇ-ପରିପୂରଣ (ଇ-ଡିଜିଟାଇଜେସନ୍) କାର୍ଯ୍ୟକୁ ସଫଳତାର ସହ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶେଷ କରିବାରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କ ଦଳଗତ ପ୍ରୟାସକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।


