ଦିବ୍ୟ ସ୍ନାନଯାତ୍ରାର ପୌରାଣିକ ଦୃଷ୍ଟାନ୍ତ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ବିଶ୍ୱ ବ୍ରହ୍ମାଣ୍ଡର ନିୟନ୍ତା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର। ସେ ମର୍ତ୍ତ୍ୟବୈକୁଣ୍ଠ ନୀଳାଚଳ ଧାମରେ ରହି ମାନବୀୟ ଲୀଳା କରି ଚାଲିଛନ୍ତି। ମନୁଷ୍ୟ ଯେପରି ନିତ୍ୟ ନୈମିତ୍ତିକ କର୍ମ କରିଥାଏ, ସେପରି ମହାପ୍ରଭୁ ମଧ୍ୟ ସେବକ ମାନଙ୍କ ମାଧ୍ଯମରେ କରନ୍ତି। ଯେଭଳି ମୁଖ ପ୍ରକ୍ଷାଳନ ବା ଅବକାଶ ନୀତି ଠାରୁ ଆରମ୍ଭ କରି ରାତ୍ରି ଶୟନ ବା ପୌଢ଼ ନୀତି ପର୍ଯ୍ୟନ୍ତ ସମସ୍ତ କର୍ମାଦିମାନ। ମଣିଷ ଯେପରି ଶରୀର ତ୍ୟାଗ କରିଥାଏ ଏବଂ ତା’ର ଆତ୍ମା ଘଟ ପରିବର୍ତ୍ତନ କରେ, ସେଭଳି ଦାରୁବ୍ରହ୍ମଙ୍କ ବ୍ରହ୍ମ ପରିବର୍ତ୍ତନ ହେବା ସହ ନବକଳେବର ମଧ୍ୟ ହୋଇଥାଏ। ଭକ୍ତ ବିନୋଦିଆ ପ୍ରଭୁ ଭକ୍ତଙ୍କ ନିମନ୍ତେ , ସେ ବର୍ଷର ବାର ମାସରେ ତେର ଯାତ୍ରା କରିଥାନ୍ତି। ଯାହାକୁ ଦ୍ୱାଦଶ ଯାତ୍ରା କୁହାଯାଏ। ସେଥିମଧ୍ୟରୁ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଏହା ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହୋଇଥାଏ।
ଏହି ସ୍ନାନଯାତ୍ରାର ବିଶେଷତ୍ତ୍ୱ ପବିତ୍ର ସ୍କନ୍ଦ ପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ, ବ୍ରହ୍ମ ପୁରାଣ ଓ ପଦ୍ମ ପୁରାଣାଦିରେ ବର୍ଣ୍ଣିତ ହୋଇଛି। ଉକ୍ତ ପୁରାଣ ଗୁଡିକରେ ଏହାର ଅଲୌକିକ ମହିମା ସମ୍ପର୍କରେ ବିସ୍ତୃତ ଭାବେ ଦେଖିବାକୁ ମିଳେ। ଯେପରି ସ୍କନ୍ଦ ପୁରାଣର ‘ଉତ୍କଳ ଖଣ୍ଡ’ ଅନୁଯାୟୀ, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁବ୍ରହ୍ମଙ୍କ ଶ୍ରୀବିଗ୍ରହ ପ୍ରତିଷ୍ଠା କରିଥିଲେ ଏବଂ ସ୍ୱୟଂ ବ୍ରହ୍ମା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଭୁଙ୍କର ପ୍ରଥମ ଜଳାଭିଷେକ ବା ସ୍ନାନଯାତ୍ରା ସମ୍ପନ୍ନ କରିଥିଲେ ବୋଲି କୁହାଯାଇଛି। ଏହାର ମହିମା ବିଷୟରେ ବର୍ଣ୍ଣିତ ହୋଇଛି ଯେ:
ଜ୍ୟେଷ୍ଠସ୍ୟ ଶୁକ୍ଳପକ୍ଷେ ତୁ ପୂର୍ଣ୍ଣିମାୟାଂ ଦ୍ୱିଜୋତ୍ତମାଃ।
ସୁସ୍ନାତଂ ସର୍ବତୀର୍ଥୌଘୈଃ ପଶ୍ୟେତ ପୁରୁଷୋତ୍ତମମ୍॥
ସର୍ବପାପ ବିନିର୍ମୁକ୍ତଃ ସ ଗଚ୍ଛେଦ୍ ବୈଷ୍ଣବଂ ପଦମ୍।
ଅଶ୍ୱମେଧସହସ୍ରସ୍ୟ ଫଳଂ ପ୍ରାପ୍ନୋତି ନିଶ୍ଚିତମ୍॥
ଅର୍ଥାତ୍ ହେ ଶ୍ରେଷ୍ଠ ଦ୍ୱିଜଗଣ (ବ୍ରାହ୍ମଣମାନେ)! ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ସମସ୍ତ ପବିତ୍ର ତୀର୍ଥର ଜଳରେ ସ୍ନାନ କରିଥିବା ପୁରୁଷୋତ୍ତମ (ଶ୍ରୀଜଗନ୍ନାଥ)ଙ୍କୁ ଯିଏ ଦର୍ଶନ କରେ, ସେ ନିଜର ସମସ୍ତ ପାପରୁ ମୁକ୍ତିଲାଭ କରି ଶେଷରେ ବିଷ୍ଣୁଲୋକ (ବୈକୁଣ୍ଠ)କୁ ପ୍ରାପ୍ତ ହୁଏ। ଏଥି ସହ ସେ ନିଶ୍ଚିତ ଭାବରେ ଏକ ହଜାର ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି କରିଥାଏ।
ପ୍ରସିଦ୍ଧ ବ୍ରହ୍ମ ପୁରାଣରେ ଶ୍ରୀକ୍ଷେତ୍ର ଓ ସ୍ନାନବେଦୀର ଅଲୌକିକ ପ୍ରଭାବକୁ ବର୍ଣ୍ଣନା କରିବା ସହ କୁହାଯାଇଛି ଯେ,ଏହି ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିରର ‘ସୁନା କୂଅ’ରୁ ପବିତ୍ର ୧୦୮ ଗୋଟି ଗରା ଜଳ ଆସିଥାଏ। ତାହା ଅଧିବାସ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଏ। ଯାଫଳରେ ସଂସାରର ସମସ୍ତ ପ୍ରାଣୀମାନେ ଶୀତଳତା ପାଇଥାନ୍ତି। ତା’ସହ ପାବନ ଜନ୍ମୋତ୍ସବ ଉପରେ ମଧ୍ୟ ରଚନା କରାଯାଇଛି:
ଦେବ ଦେବ ଜଗନ୍ନାଥ ସଂସାରାର୍ଣ୍ଣବତାରକ।
ଜ୍ୟେଷ୍ଠେ ମାସି ସିତେ ପକ୍ଷେ ପୂର୍ଣ୍ଣିମାୟାଂ ଶୁଭେ ଦିନେ॥ଅବତୀର୍ଣ୍ଣୋଽସି ଜଗତୀ ମାନୁଷଂ ବପୁରାଶ୍ରିତଃ।
ତସ୍ମାତ୍ତ୍ୱାଂ ପୂଜୟିଷ୍ୟାମି ସ୍ନାନଯାତ୍ରା ମହୋତ୍ସବୈଃ॥
ଏହାର ଅର୍ଥ ହେ ଦେବଦେବ! ହେ ଜଗନ୍ନାଥ! ଆପଣ ଏ ସଂସାର ରୂପକ ସମୁଦ୍ରରୁ ଉଦ୍ଧାର କରୁଥିବା ତାରକ ବ୍ରହ୍ମ ଅଟନ୍ତି। ଆପଣ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଶୁଭ ପୂର୍ଣ୍ଣିମା ଦିନ ଏହି ପୃଥିବୀ ପୃଷ୍ଠରେ ମାନବୀୟ ଲୀଳା କରିବା ପାଇଁ ଦାରୁବ୍ରହ୍ମ ସ୍ୱରୂପରେ ଆବିର୍ଭୂତ ହୋଇଥିଲେ। ତେଣୁ ଆପଣଙ୍କର ଏହି ଜନ୍ମୋତ୍ସବକୁ ସ୍ନାନଯାତ୍ରା ମହୋତ୍ସବ ଭାବେ ପାଳନ କରାଯାଉଛି।
ପଦ୍ମ ପୁରାଣ ଏବଂ ବାମଦେବ ସଂହିତା ଅନୁଯାୟୀ, ଶ୍ରୀଜଗନ୍ନାଥ ହେଉଛନ୍ତି ପୂର୍ଣ୍ଣବ୍ରହ୍ମ ଏବଂ ସ୍ନାନମଣ୍ଡପକୁ ‘ମୁକ୍ତି ମଣ୍ଡପ’ ଠାରୁ ମଧ୍ୟ ଶ୍ରେଷ୍ଠ ବୋଲି ଗଣନା କରାଯାଇଛି। ସ୍ନାନବେଦୀରେ ପ୍ରଭୁମାନଙ୍କୁ ଦର୍ଶନ କଲେ , ମନୁଷ୍ୟ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଥାଏ ବୋଲି କୁହାଯାଇଛି:
ସ୍ନାନମଣ୍ଡପସଂସ୍ଥଂ ତୁ ଦୃଷ୍ଟ୍ୱା ଦେବଂ ଜଗଦ୍ଗୁରୁମ୍।
ନରୋ ମୁକ୍ତିମବାପ୍ନୋତି କିଂ ପୁନଶ୍ଚାଭିଷେଚନମ୍॥
ଅର୍ଥାତ୍ ସ୍ନାନ ମଣ୍ଡପରେ ବିରାଜମାନ ଜଗଦ୍ଗୁରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦର୍ଶନକଲେ ଜୀବ ମୁକ୍ତିଲାଭ କରିଥାଏ, ଏହି ଦିବ୍ୟ ଅଭିଷେକ ବା ସ୍ନାନରୂପ ଦର୍ଶନର ମହିମା କେତେ ଯେ ଅପାର, ତାକୁ ଭାଷାରେ କହିବା ଏକ ଦୂରୁହ ବ୍ୟାପାର।
ଶାସ୍ତ୍ରୀୟ ମତ ଅନୁଯାୟୀ, କୌଣସି ପୂଜା ବା ଶୁଭ କାର୍ଯ୍ୟର ଆରମ୍ଭରେ ପ୍ରଥମେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜନର ବିଧାନ ରହିଛି। କାରଣ ସେ ହେଉଛନ୍ତି ବିଘ୍ନହର୍ତ୍ତା। ଶ୍ରୀମନ୍ଦିରର ବାର୍ଷିକ ଯାତ୍ରା ଚକ୍ର, ସ୍ନାନଯାତ୍ରାରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ସାରା ବିଶ୍ୱକୁ ଶୁଭାଶିଷ ପ୍ରଦାନ କରିବା ଏବଂ ସମସ୍ତଙ୍କର ବିଘ୍ନ ନାଶ କରିବା ପାଇଁ ମହାପ୍ରଭୁ ପ୍ରଥମ ଯାତ୍ରାରେ ଗଜାନନ ରୂପ ଧାରଣ କରନ୍ତି । ଏହି ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ କଳା ହାତୀ ରୂପରେ, ପ୍ରଭୁ ବଳଭଦ୍ର ଧଳା ହାତୀ ରୂପରେ ଏବଂ ମା’ ସୁଭଦ୍ରା ପଦ୍ମଫୁଲ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଉକ୍ତ ବେଶର ହାତୀ ଶୁଣ୍ଢ ଓ କାନ ନିର୍ମାଣ ପାଇଁ ଆବଶ୍ୟକ ପଡେ ସୋଲ, କନା ଏବଂ ବାଉଁଶ ବତା। ଯାହାକୁ ରାଘବଦାସ ମଠ ଏବଂ ଗୋପାଳତୀର୍ଥ ମଠ ସମ୍ପୂର୍ଣ୍ଣ ନିଷ୍ଠାର ଭାବେ ପ୍ରସ୍ତୁତ କରିଥାନ୍ତି। ଏହି ବେଶ ପ୍ରମାଣିତ କରେ ଯେ, ସ୍ୱୟଂ ଶ୍ରୀ ଜଗନ୍ନାଥ ହିଁ ସର୍ବଦେବମୟ ଏବଂ ସେ ସବୁ ସଂପ୍ରଦାୟର ଭକ୍ତଙ୍କୁ ଆପଣେଇ ନିଅନ୍ତି।
ଏହି ସର୍ବଦେବମୟ ସ୍ୱରୂପକୁ ବର୍ଣ୍ଣନା କରିବାକୁ ଯାଇ ସ୍କନ୍ଦ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡରେ କୁହା ଯାଇଛି ଯେ:
ଜଗନ୍ନାଥଃ ସ୍ୱୟଂ ବ୍ରହ୍ମା, ବଳଭଦ୍ରୋ ମହେଶ୍ୱରଃ ।
ସୁଭଦ୍ରା ସ୍ୱୟଂ ଶକ୍ତିଃ, ଗଜାନନସ୍ତୁ ସର୍ବମୟଃ ।।
ଅର୍ଥାତ୍ ଶ୍ରୀଜଗନ୍ନାଥ ସ୍ୱୟଂ ବ୍ରହ୍ମା ଓ ବିଷ୍ଣୁ, ବଳଭଦ୍ର ମହାଦେବ ଏବଂ ମା’ ସୁଭଦ୍ରା ହେଉଛନ୍ତି ସ୍ୱୟଂ ଶକ୍ତି ସ୍ୱରୂପା। ସ୍ନାନ ମଣ୍ଡପରେ ଏହି ତ୍ରିଧାମୂର୍ତ୍ତିଙ୍କ ଗଜାନନ ରୂପ ଏକତ୍ରିତ ହୋଇ ସର୍ବମୟ ବ୍ରହ୍ମ ସ୍ୱରୂପକୁ ପ୍ରଦର୍ଶନ କରନ୍ତି। ଏ ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଗଜାନନ ରୂପକୁ ସ୍ତୁତି ଗାନ କରି କହନ୍ତି:
ବିଘ୍ନରାଜ ବିଘ୍ନବିନାଶନାୟ
ଦାରୁବ୍ରହ୍ମ ସ୍ୱରୂପାୟ ହେ ସ୍ମରତାମ୍ !
ଶ୍ରୀକନ୍ଦରେ ଭକ୍ତାନାଂ ମୁଖ୍ୟଦାୟକ
ଗଜବକ୍ତ୍ରଧର ନମୋ ନମୋ ଶ୍ରୀ ଜଗନ୍ନାଥ ।।
ହେ ସମସ୍ତ ବିଘ୍ନର ବିନାଶକାରୀ ବିଘ୍ନରାଜ ! ଆପଣ ସ୍ୱୟଂ ଦାରୁବ୍ରହ୍ମ ସ୍ୱରୂପ ଅଟନ୍ତି । ଶ୍ରୀକ୍ଷେତ୍ରର ଶ୍ରୀକନ୍ଦରରେ (ନୀଳାଦ୍ରିରେ) ବିରାଜମାନ କରି ଆପଣ ନିଜର ଭକ୍ତମାନଙ୍କୁ ସର୍ବୋଚ୍ଚ ସୁଖ ଓ ମୁକ୍ତି ପ୍ରଦାନ କରନ୍ତି । ଏପରି ଗଜାନନ ରୂପ ଧାରଣକାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମର ଅନନ୍ତକୋଟି ପ୍ରଣାମ । ସେଭଳି ଶ୍ରୀଦାର୍ଢ଼୍ୟତା ଭକ୍ତି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ଯେ, ଏହି ଗଜରୂପ ଦେଖି ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଗଣପତି ଭଟ୍ଟ ଭାବବିହ୍ୱଳ ହୋଇ ସ୍ତୁତି ଗାନ କରିଥିଲେ:
ତବ ଦର୍ଶନେ ଦାରୁବ୍ରହ୍ମ । ତୁଟିଲା ମୋର ମତିଭ୍ରମ ॥
ଲଭିଲି ପରମ କାରଣ । ଏବେ ଯା ମାଗୁଅଛି ଶୁଣ ॥
ଆଜୁଁ ଏ ଦେବସ୍ନାନ ଯାତ । ଯେବେ ହୋଇବ ଜଗନ୍ନାଥ ॥
କେବଳ ହସ୍ତୀ ବେଶ ହୋଇ । ବିଜେ କରିବ ଭାବଗ୍ରାହୀ ॥
ଭକ୍ତ ବତ୍ସଳ ଭାବଗ୍ରାହୀ ଶ୍ରୀଜଗନ୍ନାଥଙ୍କୁ ଯେ ଯେପରି ରୂପେ ସ୍ମରଣ କରେ ମହାପ୍ରଭୁ ତାଙ୍କୁ ସେପରି ରୂପରେ ଦର୍ଶନ ଦିଅନ୍ତି। ସେ ସ୍ନାନ ମଣ୍ଡପରେ ରହି ସମସ୍ତ ଜନସମାଜକୁ ଜଣାଇଦିଅନ୍ତି ଯେ, ସେ ହେଉଛନ୍ତି ଜୀବନ୍ତ ଠାକୁର। ଏହି ପାବନ ଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ହେଉଛି ଓଡ଼ିଶାର ସାଂସ୍କୃତିକ ଏବଂ ଏକତାର ପ୍ରତୀକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏ ଦିନ ସମସ୍ତେ ସ୍ନାନବେଦୀରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମୁକ୍ତ ଭାବେ ଦର୍ଶନ କରିବାର ସୁଯୋଗ ପାଆନ୍ତି । ଯାହାକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟ ବୋଲି କୁହାଯାଏ।
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର ।
୯୮୬୧୩୩୪୮୬୮


