ବାହାଘରରୁ ଫେରୁଥିବା ଯୁବକଙ୍କୁ ରାସ୍ତାରେ ହତ୍ୟା ଉଦ୍ୟମ
କାକଟପୁର,(ଶୁଭାଶିଷ ଖଣ୍ଡୁଆଳ) : ପର୍ଯ୍ୟଟକଙ୍କ ସ୍ୱର୍ଗ କୁହାଯାଉଥିବା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଏବେ ଅପରାଧୀଙ୍କ ସ୍ୱର୍ଗରାଜ୍ୟ। ଗୋଟିଏ ପଟେ ମେରାଇନ୍ ଥାନା, ଅନ୍ୟପଟେ ରାମଚଣ୍ଡୀ ଥାନା। ଦୁଇ ଥାନାର ସୀମାନ୍ତରେ ଥାଇ ବି ଏହିକିଛି କିମି ରାସ୍ତାରେ ରାତିରେ ଆଇନ୍-ଶୃଙ୍ଖଳା ଶୂନ। ଫଳ – ଶନିବାର ରାତିରେ ପୁଣି ଏକ ନରସଂହାର, ପୁଣି ଥରେ ରକ୍ତର ହୋଲି। କୋଣାର୍କ ଥାନା ଧନିତ୍ରୀ ଗ୍ରାମର କମଳ ଲୋଚନ ବେହୁରା ଓ ରଶ୍ମିରଞ୍ଜନ ବେହୁରା ଦୁଇ ଭାଇ ବରପଦାରୁ ବାହାଘର ଭୋଜି ସାରି ଘରକୁ ଫେରୁଥିଲେ। ଇକୋ-ରିଟ୍ରିଟ୍ ନିକଟରେ କିଛି ନିଶାଶକ୍ତ ଯୁବକ ତାଙ୍କ ବାଇକ୍ ଅଟକାଇଲେ। ଅଶ୍ରାବ୍ୟ ଗାଳି, ଧମକ, ପ୍ରତିବାଦ କରିବାରୁ ଆରମ୍ଭ ହେଲା ମୃତ୍ୟୁର ତାଣ୍ଡବ। ଲୁହା ରଡ୍, କାଠ ଫାଳିଆରେ ଦୁଇ ଭାଇଙ୍କୁ ରାସ୍ତା ଉପରେ ପକାଇ ପିଟିଲେ। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା କିଛି ସେକେଣ୍ଡର ଭିଡିଓ ଦେଖିଲେ ଯେ କେହି ବି ଆତଙ୍କିତ ହୋଇଯିବ। ଜଣେ ଯୁବକଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଛି, ସେ ଜୀବନ ଭିକ୍ଷା ମାଗୁଛନ୍ତି, ଆଉ ଦୁର୍ବୃତ୍ତମାନେ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି। ଏ ଦୃଶ୍ୟ ସିଧା ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡର ରିପ୍ଲେ। ଗୁରୁତର କମଳ ଲୋଚନଙ୍କୁ ପ୍ରଥମେ କୋଣାର୍କ, ପରେ ପୁରୀ ଓ ଶେଷରେ ଭୁବନେଶ୍ୱର କିମ୍ସକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କ ମୁଣ୍ଡରେ ଗଭୀର ଆଘାତ ଓ ଅନ୍ତଃରକ୍ତସ୍ରାବ ହୋଇଛି। ଅବସ୍ଥା ସଂକଟାପନ୍ନ। ବଡ଼ ଭାଇ ରଶ୍ମିରଞ୍ଜନ କହିଛନ୍ତି, ଆମେ ହାତ ଯୋଡିଲୁ, ଗୋଡ଼ ଧରିଲୁ, ହେଲେ ସେମାନେ ଶୁଣିଲେନି। ଯଦି ସେତେବେଳେ ପୋଲିସ୍ ଆସିଥାନ୍ତା, ମୋ ଭାଇ ବଞ୍ଚି ଯାଇଥାନ୍ତା। ପରିବାର ଅଭିଯୋଗ ପରେ କୋଣାର୍କ ପୋଲିସ ମାମଲା ରୁଜୁ କରିଛି। କିନ୍ତୁ ୨୪ ଘଣ୍ଟା ବିତିଯାଇଥିଲେ ବି କେହି ଗିରଫ ହୋଇନାହାନ୍ତି। ପ୍ରଶ୍ନ ଉଠୁଛି ଯେଉଁ ରାସ୍ତାରେ ଦିନରେ ହଜାର ହଜାର ପର୍ଯ୍ୟଟକ, ରାତିରେ ସେହି ରାସ୍ତା କାହିଁକି ଅପରାଧୀଙ୍କ ପାଇଁ ଖୋଲା ପଡିଆ? ସ୍ଥାନୀୟ ବାସିନ୍ଦା ତଥା ପ୍ରତ୍ୟକ୍ଷଦର୍ଶୀ ବନଜା ଶଙ୍କର ବେହୁରା ଅଭିଯୋଗ କହିଛନ୍ତି, ଏଠି ସନ୍ଧ୍ୟା ୭ଟା ପରେ ପୋଲିସ୍ ଦେଖାଯାଏନି। ମଦୁଆ, ଗଞ୍ଜେଇ ଟାଣୁଥିବା ପିଲା ରାସ୍ତା ମଝିରେ ଗାଡ଼ି ରଖି ଦାଦାଗିରି କରନ୍ତି। ଆହତଙ୍କ ମାମୁଁ ଆଶିଷ କୁମାର ମଲ୍ଲ କହିଛନ୍ତି, ପୁରୀ ପୋଲିସ୍ କେବଳ ଭିଆଇପି ଡ୍ୟୁଟିରେ ବ୍ୟସ୍ତ। ସାଧାରଣ ଲୋକଙ୍କ ଜୀବନର ମୂଲ୍ୟ ନାହିଁ। ଦେବସ୍ନାନ ପୂର୍ଣ୍ଣିମା ଓ ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ-କୋଣାର୍କ ଆସିବେ। ଏଭଳି ସମୟରେ ମେରାଇନ୍ ଡ୍ରାଇଭ୍ରେ ବାରମ୍ବାର ହିଂସାକାଣ୍ଡ ଓଡ଼ିଶାର ପର୍ଯ୍ୟଟନ ଛବିକୁ ମଳିନ କରୁଛି। ବୁଦ୍ଧିଜୀବୀଙ୍କ ଦାବି ତୁରନ୍ତ ଦୋଷୀଙ୍କୁ ଗିରଫ କରାଯାଉ, ମେରାଇନ୍ ଡ୍ରାଇଭ୍ରେ ୨୪ ଘଣ୍ଟିଆ ପିସିଆର ଭ୍ୟାନ୍ ବ୍ୟବସ୍ଥା ହେଉ। ନଚେତ୍ ‘ଅତିଥି ଦେବୋ ଭବଃ’ ସ୍ଲୋଗାନ୍ କେବଳ କାଗଜରେ ରହିଯିବ।


