ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା; ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ରାଇକିଆ, (ଆଦିତ୍ୟ ପ୍ରସାଦ ପାଢୀ): କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଏହି ପବିତ୍ର ଅବସରରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଅଦ୍ଭୁତପୂର୍ବ ଭିଡ଼ ପରିଲକ୍ଷିତ ହୋଇଥିଲା । ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ମନ୍ଦିରର ଗର୍ଭଗୃହରୁ ଧାଡ଼ି ପହଣ୍ଡି କରି ସ୍ନାନ ବେଦୀକୁ ଅଣାଯାଇଥିଲା। ସେଠାରେ ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ, ଅପରାହ୍ନରେ ପ୍ରଭୁଙ୍କର ପ୍ରସିଦ୍ଧ ଓ ଆକର୍ଷଣୀୟ “ହାତୀ ବେଶ” ଅନୁଷ୍ଠିତ ହୋଇଥିଲା । ଗଜାନନ ରୂପରେ ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇପଡ଼ିଥିଲେ । ଗୋଟିଏ ପଟେ ହରିବୋଲ ଓ ହୁଳହୁଳି ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ଧାଡ଼ି ହୋଇ ମହାପ୍ରଭୁଙ୍କ ଗଜ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ସ୍ନାନ ଯାତ୍ରା ପରେ ପରମ୍ପରା ଅନୁସାରେ ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଆଗାମୀ ୧୫ ଦିନ ପାଇଁ ଅଣସର ଗୃହକୁ ବିଜେ କରିବେ। ଏହି ସମୟରେ ଭକ୍ତମାନେ ସାଧାରଣ ଦର୍ଶନ ପାଇପାରିବେ ନାହିଁ । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ସେବାୟତ ଏବଂ ରାଇକିଆ ଅଞ୍ଚଳବାସୀ ସୁଚାରୁରୂପେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ