ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ଜଣେ ୫୩ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ତାଙ୍କୁ ଏବଂ ସାଙ୍ଗରେ ଥିବା ନାବାଳକ ପୁଅ ଙ୍କୁ ହତ୍ୟା ଉଦ୍ୟମ କରିଥିବା ଘଟଣା ରେ ଶନିବାର ତଦନ୍ତକାରୀ ଅଧିକାରୀ ତଥା ଦିଗପହଣ୍ଡି ଥାନା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଦିଗପହଣ୍ଡି ସାହାଣୀ ସାହିର ଅଭିଯୁକ୍ତ କେଦାର ଦାସ ଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୯୨/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୧୨୬(୨)/୨୯୬/୧୧୫(୨)/୧୧୮(୧)/୭୪/୭୯/୧୦୯/୩୫୧(୨)/୩(୫) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ର ସୂଚନା ପ୍ରକାରେ ଗତ ବୁଧବାର ସନ୍ଧ୍ୟା ପ୍ରାୟ ୬ ଟାରେ କେ.ନୂଆଗାଁ ଥାନା ଖମାରିଗାଁ ପଞ୍ଚାୟତ ଅଧିନ ଏକ ଗାଁ ର ମହିଳା ଜଣକ ତାଙ୍କ ୨ ନାବାଳକ ପୁଅ ଙ୍କ ସହ ବ୍ରହ୍ମପୁର ରୁ ବସ୍ ଯୋଗେ ଦିଗପହଣ୍ଡି ଫେରି ତାଙ୍କ ଗାଁ କୁ ଯିବା ପାଇଁ ଅନ୍ୟଏକ ବସ୍ କୁ ଅପେକ୍ଷା କରିଥିଲେ।ବସ୍ ଆସିନଥିବା ରୁ ସେ ପରିଶ୍ରା ପାଇଁ ରାସ୍ତାକଡ଼ କୁ ଯାଇଥିଲେ। ସେଠାରେ ସାହାଣୀ ସାହିର ଶିବ ଦାସ ଏବଂ କେଦାର ଦାସ ଅନ୍ଧାରୁଆ ଜାଗାରେ ବସି ଏକାନ୍ତରେ କଥା ହେଉଥିଲେ। ମହିଳା ଙ୍କୁ ଏକୁଟିଆ ଦେଖି କେଦାର ତାଙ୍କ ପିନ୍ଧାଲୁଗା କୁ ଟାଣି ତଳେ ପକାଇ ଛାତିକୁ ଭିଡିଧରି ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ।ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମାଆ ର ପାଟିଶୁଣି ତାଙ୍କ ବଡ଼ପୁଅ ଘଟଣାସ୍ଥଳକୁ ଦୌଡି ଆସିବାରୁ ଶିବ ଦାସ ହାତରେ ପିନ୍ଧିଥିବା ଲୁହା ବଳା(କଡ଼ା) ତାଙ୍କ ମୁଣ୍ଡକୁ ଆଘାତ କରିବାରୁ ସେ ତଳେ ପଡ଼ି ଛଟପଟ ହେବାରୁ ମହିଳା ଜଣକ ପାଟି କରିଥିଲେ। ତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା। ମହିଳା ଜଣକ ଶିବ ଙ୍କୁ ଭିଡ଼ି ଧରିବାରୁ ସେ ପିନ୍ଧିଥିବା ଲୁହା ବଳା ରେ ତାଙ୍କ ଡାହାଣ ହାତ କୁ ମାଡ଼ ମାରିବା ସହ ନାନା ଅଶ୍ଳୀଳ ଭାଷାରେ ଗାଳି କରିଥିଲେ।କିଛି ବ୍ୟକ୍ତି ଘଟଣାସ୍ଥଳ କୁ ଦୌଡି ଆସିବାରୁ ଉଭୟେ ସେଠାରୁ ଉଭୟେ କୌଶଳ କ୍ରମେ ଚମ୍ପଟ ମାରିଥିଲେ। ଉଭୟ ମାଆ ଓ ପୁଅ ଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ହୋଇ ଫେରିବା ପରେ ମହିଳା ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଥାନା ଆଇଆଇସି ଦାୟିତ୍ୱରେ ଥିବା ଅତିରିକ୍ତ ଆଇଆଇସି ଅଭିଯୁକ୍ତ ଦ୍ୱୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଅଭିଯୁକ୍ତ କେଦାର ଙ୍କ ବିରୋଧରେ ପୂର୍ବରୁ ଦିଗପହଣ୍ଡି ଥାନାରେ ୨ ଟି ଚୋରି ମାମଲା ରହିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।ଅନ୍ୟ ଅଭିଯୁକ୍ତ ଶିବ ଗିରଫ ଭୟରେ ଫେରାର ହୋଇଯାଇଛି।