ଜଳନ୍ତା କାର୍‌ରୁ ମିଳିଥିବା ଅର୍ଦ୍ଧଦଗ୍ଧ ମୃତଦେହର ମିଳିଲା ପରିଚୟ

କଟକ, (ଓ୍ବାଇଏନଏସ): କଟକ ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଶିଳ୍ପାଞ୍ଚଳ ନିକଟରେ ଜଳନ୍ତା କାର୍‌ ଭିତରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣନଗର ଅଞ୍ଚଳର ସନ୍ତୋଷ ସାହୁ। ସେ ଜଣେ ସଫ୍ଟୱେର ଇଞ୍ଜିନିୟର ଥିବା ଜୋନ୍‌-୪ ଏସିପି ସୂଚନା ଦେଇଛନ୍ତି। ପୁଲିସର ସୂଚନା ଅନୁଯାୟୀ, ସନ୍ତୋଷ ଘରେ ରହି କାମ କରୁଥିଲେ। ପାରିବାରିକ ଅଶାନ୍ତି କାରଣରୁ ସେ ଘରୁ ବାହାରି ଯାଇଥିବା ତାଙ୍କ ପତ୍ନୀ ପୁଲିସକୁ କହିଛନ୍ତି। ପ୍ରାଥମିକ ତଦନ୍ତରୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ସନ୍ତୋଷ ଏକାକୀ ଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣାସ୍ଥଳରେ କାର୍‌ଟି କିଛି ସମୟ ଧରି ଛିଡ଼ା ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ଗତକାଲି ରାମଦାସପୁର ଶିଳ୍ପାଞ୍ଚଳ ନିକଟରେ ହଠାତ୍‌ ଏକ କାର୍‌ରେ ନିଆଁ ଲାଗିଯାଇଥିଲା। କାର୍‌ ଭିତରେ ଜଣେ ବ୍ୟକ୍ତି ଥିବାବେଳେ ସେ ନିଆଁରେ ପୋଡ଼ି ଜୀବନ ହରାଇଥିଲେ। ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁର ପ୍ରକୋପରେ କାର୍‌ର ଅଧିକାଂଶ ଅଂଶ ପୋଡ଼ି ନଷ୍ଟ ହୋଇଯାଇଥିଲା।ଘଟଣାଟି ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୁଲିସ ପ୍ରାଥମିକ ଭାବେ ଅନୁମାନ କରୁଥିଲେ ମଧ୍ୟ ଏହାର ଅନ୍ୟାନ୍ୟ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ