ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଅଭିଯୋଗ : ୭ ଦିନ ଧରି ବିଦ୍ୟୁତ ପାଇବାରୁ ବଞ୍ଚିତ ଉପଭୋକ୍ତା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ଗତ ୭ ଦିନ ଧରି ଟ୍ରାନ୍ସଫର୍ମର ପୋଡ଼ି ଯିବା ପରେ ବିଦ୍ୟୁତ ସେବା ରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ।ଗାଁ ର ୪ଟି ସାହିର ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପରିବାର ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ରାତିର ଅନ୍ଧାରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଜ୍ରପାତ ଯୋଗୁଁ ବିଦ୍ୟୁତ ଟ୍ରାନ୍ସଫର୍ମର ଟି ପୋଡିଯିବା ପରେ ମରାମତି କିମ୍ବା ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ବିଦ୍ୟୁତ ବିଭାଗ ର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜିତ ଗ୍ରାମବାସୀ ଆଡ଼ପଡା ଗ୍ରାମ ସ୍ଥିତ ବିଦ୍ୟୁତ ସବଷ୍ଟେସନ ଷ୍ଟ୍ରକଚର ରେ ପହଞ୍ଚି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିଲେ। ତୁରନ୍ତ ଟ୍ରାନ୍ସଫର୍ମର ପରିବର୍ତ୍ତନ କରି ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ସେମାନେ ଦାବି କରିଛନ୍ତି। ଗାଁ ରେ ଚାପା ଉତ୍ତେଜନା ଲାଗିରହିଛି। ଗାଁ କମିଟି କାର୍ଯ୍ୟକର୍ତ୍ତା ଅରୁଣ ରାଉତ, ମୁରଲୀ ପ୍ରଧାନ, ମିଥୁନ ପ୍ରଧାନ, ନରୁସୁ ପ୍ରଧାନ, ମଙ୍ଗୁଳୁ ପୃଷ୍ଟି ଓ ଉମା ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଏନେଇ ଶେରଗଡ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ସିଲାଭିତ୍ ଙ୍କୁ ପଚାରିବାରୁ ବିଦ୍ୟୁତ ସବଷ୍ଟେସନ ଷ୍ଟ୍ରକଚର ରେ ଗ୍ରାମବାସୀ ତାଲା ପକାଇବା ଦ୍ୱାରା ୫ ଟି ପଞ୍ଚାୟତ ଅଧିନ ଅନେକ ଗାଁ ର ଲୋକେ ଅନ୍ଧାରରେ ରହିଛନ୍ତି। ଗ୍ରାମବାସୀ ଆଇନ କୁ ହାତକୁ ନେବା ଉଚିତ୍ ନୁହେଁ ବୋଲି କହିଛନ୍ତି। ବିଳମ୍ବିତ ସନ୍ଧ୍ୟା ରେ ବିଦ୍ୟୁତ ବିଭାଗ ପକ୍ଷରୁ ନୂତନ ଟ୍ରାନ୍ସଫର୍ମର ଗ୍ରାମକୁ ପଠାଯାଇଛି।କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହି କାମ କରୁଛନ୍ତି। ବିଳମ୍ବିତ ସୁଦ୍ଧା ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସେ କହିଛନ୍ତି।


