ପେଶା ଓ ନିଶା ଏକାକାର: ଅବସର ପରେ ବି ରୋଗୀସେବାରେ ସମର୍ପିତ ଡାକ୍ତର ଶ୍ୟାମଘନ ବିଶ୍ୱାଳ

ଆସିକା (ୱାଇଏନ୍‍ଏସ୍‍) : ମାନବ ସମାଜର ଜୀବନଦାତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସଦୃଶ୍ୟ ଡାକ୍ତରମାନଙ୍କ ନିଃସ୍ୱାର୍ଥପର ସେବା ଓ ଭାବନାକୁ ସମ୍ମାନ ଜଣାଇବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୧ ତାରିଖରେ ସାରା ଦେଶରେ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଇଥିବା ଜଣାପଡିଛି । ଏହି ଅବସରରେ ଆସିକା ପୌର ପରିଷଦ ଅଧିନସ୍ଥ ବାଣିବିହାର ଅଞ୍ଚଳର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ କର୍ମମୟ ଜୀବନରୁ ଅବସର ଗ୍ରହଣ କରିବାର ଦୀର୍ଘ ୧୪ ବର୍ଷ ବିତିଯାଇଥିଲେ ବି ସେ ରୋଗୀସେବାରେ ସଂପୁର୍ଣ୍ଣ ରୂପେ ସମର୍ପିତ ହୋଇ ପେଶା ଓ ନିଶାକୁ ଏକାକାର କରି ନିଆରା ଜନସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ସେବା, ସମର୍ପଣ ଓ ସଫଳତାର ଅନ୍ୟ ନାମ ରୂପେ ପରିଚିତ ଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଏଲୋପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା ବେଳେ ଦୀର୍ଘ ବର୍ଷ ଧରି ନିଷ୍ଠା, ଦକ୍ଷତା ଓ ମାନବିକତାର ସହ ଶିଶୁରୋଗୀମାନଙ୍କୁ ନିରନ୍ତର ଭାବେ ଚିକିତ୍ସାସେବା ପ୍ରଦାନ କରୁଥିବା ବେଳେ ତାଙ୍କର ଏହି ବୃତ୍ତିଗତ ନିଷ୍ଠା ଓ ମାନବିକ ମୂଲ୍ୟବୋଧକୁ ସମାଜରେ ତାଙ୍କୁ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱରେ ପରିଣତ କରିପାରିଥିବା ଜଣାପଡିଛି । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ ନିଜର ସହାନୁଭୂତି, ନୈତିକତା, ସାମାଜିକ ଉତ୍ତରଦାୟିତ୍ୱ ଓ ସେବା ମନୋଭାବକୁ ପାଥେୟ କରି ରୋଗୀସେବା କରୁଥିବା ବେଳେ ତାଙ୍କ ପାଇଁ ସେବା ହିଁ ପରମ ଧର୍ମ ପାଲଟିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଅତୀତରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ ରାଜ୍ୟର ଆସିକା, ଭଂଜନଗର, ରାଜସୁନାଖଳା, ପୋଲସରା ଅଞ୍ଚଳରେ ଶିଶୁମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟାସେବା ଯୋଗାଇ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଜନସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା କମିଶନର୍‍ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ପଦବୀ ଠାରୁ ଆରମ୍ଭ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ବରିଷ୍ଠ ପଦାଧିକାରୀ, ବ୍ରହ୍ମପୁର ମ୍ୟୁନିସିପାଲଟିର ପ୍ରାକ୍ତନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଗତ ୨୦୧୨ ମସିହା ଫେବୃୟାରୀ ମାସରେ କର୍ମମୟ ଜୀବନରୁ ଅବସର ଗ୍ରହଣ କରିବା ପରେ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆସିକା ସହରର ସର୍ବାଙ୍ଗୀନ ବିକାଶ ଏବଂ ଲୋକଙ୍କ ସୁଖଦୁଃଖରେ ସାମିଲ୍‍ ହେବା ଲକ୍ଷ୍ୟରେ ରାଜନୀତିରେ ପାଦ ଥାପି ଗତ ୨୦୨୨ ମସିହାରେ ବିଜେପି ପକ୍ଷରୁ ନଗରପାଳ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରିିଥିଲେ । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ ପାଲଟିଯାଇଥିଲେ ରାଜନେତା । ବିଗତ କିଛି ମାସ ହେଲା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ ରାଜନୀତିରୁ ସାମାନ୍ୟ ଦୂରରେ ଥିଲେ ମଧ୍ୟ ରୋଗୀସେବା ଓ ଚିକିତ୍ସା ବୃତ୍ତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଚାଲିଥିବା ସାଙ୍ଗକୁ ଆସିକା ଅଞ୍ଚଳର ଜଣେ ଜନପ୍ରିୟ ଶିଶୁରୋଗ ବିଶେଷଜ୍ଞ ଭାବେ ସାଧାରଣରେ ବେଶ୍‍ ସୁଖ୍ୟାତି ଅର୍ଜନ କରିଥିବା ଚର୍ଚ୍ଚା ହେଉଛି । ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ବି ୭୪ ବର୍ଷ ବୟସରେ ବି ସେ ଜଣେ ଯୁବକଙ୍କ ଭଳି କର୍ମଠ ଓ ସୁସ୍ଥ ରହିଛନ୍ତି । ଯାହା କେବଳ ତାଙ୍କର ଶୃଙ୍ଖଳିତ ଜୀବନଶୈଳୀ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସଚେତନ ନାଗରିିକ ମହଲରେ ଚର୍ଚ୍ଚା ହେଉଛି । ଆସିକା ଅଞ୍ଚଳର ନିଆରା ବ୍ୟକ୍ତିତ୍ୱ ରୂପେ ପରିଚିତ ଥିବା ଡାକ୍ତର ଶ୍ୟାମଘନ ବିଶ୍ୱାଳ ଆଜି ଆସିକାର ଘରେ ଘରେ ଜଣେ ସୁନାମଧନ୍ୟ ଚିକିତ୍ସକ ରୂପେ ପରିଚିତ ଥିବା ଜଣାପଡିଛି । ଅବସର ପରେ ବି ଡାକ୍ତର ଶ୍ୟାମଘନ ବିଶ୍ୱାଳ ନିଃସ୍ୱାର୍ଥପର ଭାବେ ପରିଣତ ବୟସରେ ବି ଯେପରି ଜାରି ରଖିଛନ୍ତି ରୋଗୀସେବା ତାହା ତାଙ୍କର ମହନୀୟ କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ରୋଗୀସେବାରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ରହିବେ ବୋଲି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ ସୂଚନା ପ୍ରଦାନ କରିଛନ୍ତି । (ଡାକ୍ତର ଶ୍ୟାମଘନ ବିଶ୍ୱାଳଙ୍କ ଫଟୋ ଯାଇଛି)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ