ଆଶୁ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସିଭିଲ୍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା): ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ତିନୋଟି ପ୍ରମୁଖ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଲିଖିତ ଦାବିପତ୍ର ବୁଧବାର ପୂର୍ବାହ୍ନରେ ପ୍ରଦାନ କରାଯାଇଛି। ବାଲେଶ୍ୱର ସହରରେ ଥିବା ସରକାରୀ ଜମିକୁ ଅବରୋଧ ମୁକ୍ତ କରିବା, ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଓ ସରକାରୀ ବିଦ୍ୟାଳୟରେ ୧ମ ଶ୍ରେଣୀଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଚଳିତବର୍ଷର ନୂତନ ପାଠ୍ୟପୁସ୍ତକକୁ ସଂପୂର୍ଣ୍ଣ ତ୍ରୁଟିମୁକ୍ତ କରି ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଯୋଗାଇଦେବା ପାଇଁ ସିଭିଲ୍ ସୋସାଇଟି ଦାବି କରିଛି। ଗତ ୨୦୦ ବର୍ଷ ତଳର ବାଲେଶ୍ୱର ସହରରେ ଏବେ ଯାନବାହନ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସହରକୁ ମୁଖ୍ୟ ପ୍ରବେଶ ପଥ (ଓ.ଟି. ରୋଡ଼୍) ସଂପ୍ରସାରଣ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସିଭିଲ୍ ସୋସାଇଟି ସ୍ୱାଗତ କରିଛି। ଏହି ସଂପ୍ରସାରଣରେ ସରକାରୀ ଜମିକୁ ଅବରୋଧ କରାଯାଇଥିବାରୁ ସଂପ୍ରସାରଣ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁ ନାହିଁ। ତାମୁଳିଆ ଓଭରବ୍ରିଜ୍ ଠାରୁ ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଜବରଦଖଲରେ ଥିବା ବହୁ ପକ୍କାନିର୍ମାଣ ଓ ବିଦ୍ୟୁତଖୁଣ୍ଟ, ଟ୍ରାନ୍ସଫର୍ମର ଗୁଡ଼ିକୁ ଉଚ୍ଛେଦ କରାଯାଇନାହିଁ। ତେଣୁ ରାସ୍ତା ସଂପ୍ରସାରଣ ଓ ରାସ୍ତା ପାଶ୍ୱର୍ରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନାହିଁ। ଅଙ୍ଗାରଗଡ଼ିଆ, ତେଲେଙ୍ଗା ସାହି ଓ ପଢ଼ୁଆଁପଦା ମୌଜାରେ ଥିବା ପ୍ରାୟ ୪୦ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇ ସେଠାରେ ନୂତନ ମାର୍କେଟ ଓ ଦୈନିକ ହାଟ ପ୍ରତିଷ୍ଠାପାଇଁ ସିଭିଲ୍ ସୋସାଇଟି ସରକାରଙ୍କୁ ଏହି ଚିଠି ଦେଇଛି। ରାସ୍ତା ପାଶ୍ୱର୍ରୁ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନଙ୍କୁ ଏହି ନୂତନ ପ୍ରସ୍ତାବିତ ମାର୍କେଟ୍ ଓ ଦୈନିକ ହାଟରେ ବ୍ୟବସାୟ ପାଇଁ ଥଇଥାନ ପାଇଁ ଓ ଯାନବାହନ ପାର୍କିର୍ଂରେ ସୁଯୋଗ ଦିଆଯାଇପାରନ୍ତା ବୋଲି ସିଭିଲ୍ ସୋସାଇଟି ମତ ଦେଇଛି। ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯାଇଛି। ପ୍ରକାଶ୍ୟ ଦିବାଲୋକରେ ହତ୍ୟା, ଛିନତାଇ, ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ହିଂସା ବଢ଼ିଚାଲିଛି। ଅସାମାଜିକ ବ୍ୟକ୍ତିମାନେ ବନ୍ଧୁକ ଓ ମାରଣାସ୍ତ୍ର ଧରି ସଡ଼କରେ ବୁଲୁଛନ୍ତି। ମଦ ଓ ଉତ୍କଟ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ନିଶାସକ୍ତଙ୍କ ପାଇଁ ବହୁ ଦୁର୍ଘଟଣା ଓ ଅଘଟଣ ଘଟୁଛି। ପୋଲିସ୍ ଓ ଅବକାରୀ ବିଭାଗର ଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଇନର ଶାସନ ଚାଲୁଥିବାର ସାଧାରଣ ଜନତା ଜାଣିପାରୁ ନାହାନ୍ତି। ଏତଦ୍ଭିନ୍ନ ରାଜ୍ୟରେ ଜାତୀୟ ଶିକ୍ଷାନୀତି ପ୍ରଚଳନ ପାଇଁ ସରକାରୀ ପାଠ୍ୟପୁସ୍ତକରେ ଅକ୍ଷମଣୀୟ ତ୍ରୁଟି ରହିଛି। ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକ ତ୍ରୁଟିଶୂନ୍ୟ ଭାବେ ପ୍ରକାଶ କରି ତୁରନ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ ପାଇଁ ସିଭିଲ୍ ସୋସାଇଟି ଅନୁରୋଧ କରିଛି। ଏହି ତ୍ରୁଟି ପାଇଁ ଦୋଷୀ ବ୍ୟକ୍ତିଙ୍କ ଠାରୁ ବହି ଛପା ବାବଦକୁ ସମସ୍ତ କ୍ଷତି ଭରଣା ନିମିତ୍ତ ଶିକ୍ଷାବିଭାଗ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସିଭିଲ୍ ସୋସାଇଟି ଦାବି କରିଛି।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସର୍ବଶ୍ରୀ ଅଜିତ କୁମାର ବରାଲ, ମଳୟ ରାୟ, ଶ୍ୟାମସୁନ୍ଦର ଜେନା, କମଳାକାନ୍ତ ବେହେରା, ସନ୍ତୋଷ କୁମାର ସାହୁ, ଅରୁଣ ଜେନା ଓ ମହମ୍ମଦ ଇସଲାମ ପ୍ରମୁଖ ସଦସ୍ୟ ଓ କର୍ମକର୍ତ୍ତା ସ୍ୱାକ୍ଷର କରିଛନ୍ତି।


