ପୂର୍ବତନ ସାଂସଦ କମ୍ରେଡ୍ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ଜନ୍ମବାର୍ଷିକୀ
ଆସିକା (ୱାଇଏନ୍ଏସ୍) : ବର୍ଷିୟାନ୍ ବାମପନ୍ଥୀ ନେତା ତଥା ଆସିକାର ପୂର୍ବତନ ସାଂସଦ ଓ ବିଧାୟକ କମ୍ରେଡ୍ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ଜନ୍ମ ୧୦୩ତମ ଜନ୍ମବାର୍ଷିକୀ ଜୟପୁର ଗ୍ରାମର ଗୌରାଙ୍ଗ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ବରିଷ୍ଠ ସିପିଆଇ ନେତା ସନ୍ୟାସୀ ନାହାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ସିପିଆଇର ଗଞ୍ଜାମ ଜିଲ୍ଲା ସହସଂପାଦକ ପ୍ରଦୀପ ସେଠୀ, ଆସିକା ଜୋନ୍ ସଂପାଦକ ରାଜେନ୍ଦ୍ର କୁମାର ଦାଶ, ବରିଷ୍ଠ ସିପିଆଇ ନେତା ତଥା ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ଏଆଇଟିୟୁସି ଜିଲ୍ଲା ସଂପାଦକ ଅଳକା ମିଶ୍ର, ସିପିଆଇ ନେତା ପିତବାସ ମହାପାତ୍ର, ନାରାୟଣ ଜେନା, ଅରୁଣ କୁମାର ପଣ୍ଡା, ପ୍ରଫୁଲ ରାଉତ, ରୁଦ୍ର ପ୍ରସାଦ ଆଚାରୀଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ବର୍ଷିୟାନ୍ ବାମପନ୍ଥୀ ନେତା ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ବହୁମୁଖୀ ପ୍ରତିଭା, ଦଳୀୟ ସଂଗଠନକୁ ସୁଦୃଢ କରିବା ଲାଗି ଜୀବନର ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଅହରହ ପ୍ରୟାସ, ସାଙ୍ଗଠନିକ ଦକ୍ଷତା, ବିକାଶମୂଳକ ଚିନ୍ତାଧାରା, ଦଳୀୟ ସଂଗଠନକୁ ସୁଦୃଢ ପାଇଁ ତ୍ୟାଗ ମନୋଭାବ, କୃଷକ ଏବଂ ଶ୍ରମିକ ଏବଂ ଖଟିଖିଆ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିଃସ୍ୱାର୍ଥପର ସେବା ମନୋଭାବ ଉପରେ ଆଲୋକପାତ କରିବା ସାଙ୍ଗକୁ ସେ ଜଣେ ସାଲିସ୍ ବିହୀନ ରାଜନେତା ଥିଲେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ଓ ବିଧାୟକ କମ୍ରେଡ୍ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।


