୨ କୋଟି ପାଣ୍ଠି ଥିଲେ ବି ହୋଇନି ଟିକାବାଲିରେ ହଳଦୀ ଗ୍ରାଇଣ୍ଡିଂ ୟୁନିଟ୍ କାମ ଆରମ୍ଭ
କନ୍ଧମାଳ(ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲାର ଟିକାବାଲି ମାଳ ବାଣିଜ୍ୟ କେନ୍ଦ୍ର (ଏମ୍ସିଏସ୍)ରେ ପ୍ରସ୍ତାବିତ ହଳଦୀ ଗ୍ରାଇଣ୍ଡିଂ ୟୁନିଟ୍ ସ୍ଥାପନ କାର୍ଯ୍ୟ ଦୀର୍ଘଦିନ ଧରି ବିଳମ୍ବ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକଳ୍ପ ପାଇଁ ପ୍ରାୟ ୨ କୋଟି ଟଙ୍କା ପାଣ୍ଠି ଉପଲବ୍ଧ ଥିଲେ ମଧ୍ୟ କାମ ଆଗକୁ ବଢ଼ୁନଥିବାରୁ ପ୍ରଶାସନର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠିଛି। ଏକ ସମୟରେ ଟିକାବାଲି ଏମ୍ସିଏସ୍ ଓ ରାଇକିଆ ଆରଏମ୍ସିଏସ୍ ପ୍ରାୟ ୬୨ ହଜାର ବିପିଏଲ ପରିବାରଙ୍କ ଜୀବିକାର ମୁଖ୍ୟ ଆଧାର ଥିଲା। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଝୁଣା, ମହୁ, ଲାଖ, ସାଳ ମଞ୍ଜି, ଶିଆଳି ଖଲି, ହଳଦୀ ଓ ଅଦା ଭଳି ଲଘୁ ବନଜାତ ଦ୍ରବ୍ୟ ନ୍ୟାୟସଙ୍ଗତ ଦରରେ କ୍ରୟ କରାଯାଉଥିଲା। ଏହା ଫଳରେ ଛୋଟ ଚାଷୀ ଓ ସଂଗ୍ରାହକମାନେ ଅସାଧୁ ବ୍ୟବସାୟୀଙ୍କ ଶୋଷଣରୁ ସୁରକ୍ଷା ପାଉଥିଲେ ଏବଂ ସେମାନଙ୍କର ଆୟ ନିଶ୍ଚିତ ହେଉଥିଲା। ୧୯୭୨ ମସିହାରେ ସଂସ୍ଥାର ବ୍ୟବସାୟ ୧ କୋଟି ଟଙ୍କାରେ ପହଞ୍ଚିଥିଲା। ଭୁବନେଶ୍ୱର, ବମ୍ବେ ଓ ବ୍ରହ୍ମପୁରରେ ଏହାର ପ୍ରତିଷ୍ଠାନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିଚାଳନାଗତ ଅବ୍ୟବସ୍ଥା ଓ ପ୍ରଶାସନିକ ବିଫଳତା ଯୋଗୁଁ ସଂସ୍ଥାର ଅବନତି ଘଟିଥିଲା। ଫଳରେ ଲୋକମାନେ ପୁଣି ଅସାଧୁ ବ୍ୟବସାୟୀଙ୍କ ଉପରେ ନିର୍ଭରଶୀଳ ହୋଇ କମ୍ ଦରରେ ବନଜାତ ଦ୍ରବ୍ୟ ବିକ୍ରି କରି କ୍ଷତି ସହିଥିଲେ। ଧୀରେ ଧୀରେ ସମସ୍ତ ପ୍ରତିଷ୍ଠାନ ବନ୍ଦ ହୋଇଯିବା ସହ କର୍ମଚାରୀମାନେ ମଧ୍ୟ ଦରମାରୁ ବଞ୍ଚିତ ହୋଇଥିଲେ। ଗତ ୧୫ ବର୍ଷ ଧରି ପ୍ରାୟ ୯୫ ପ୍ରତିଶତ ବ୍ୟବସାୟ ଠପ୍ ଅବସ୍ଥାରେ ରହିଛି। ପରେ ପୂର୍ବତନ ସାଂସଦ ଓ ଜାତୀୟ ଏସ୍ସି କମିଶନ ସଦସ୍ୟ ମୃତ୍ୟୁଞ୍ଜୟ ନାୟକଙ୍କ ପ୍ରୟାସରେ ନାବାର୍ଡ ପକ୍ଷରୁ ୧ କୋଟି ଟଙ୍କା ସହାୟତା ମିଳିଥିଲା। ବ୍ୟାଙ୍କ ସୁଧ ସହିତ ଏହି ରାଶି ବର୍ତ୍ତମାନ ପ୍ରାୟ ୨ କୋଟି ଟଙ୍କାରେ ପହଞ୍ଚିଥିଲେ ମଧ୍ୟ ଏହାର ବ୍ୟବହାର ହୋଇପାରିନାହିଁ। ପ୍ରଶାସନିକ ଅନୁମୋଦନ ମିଳିଥିବା ସତ୍ତ୍ୱେ ଏକ ବର୍ଷ ଧରି ହଳଦୀ ଗ୍ରାଇଣ୍ଡିଂ ୟୁନିଟ୍ ପାଇଁ ଆବଶ୍ୟକ ଯନ୍ତ୍ରପାତି କ୍ରୟ ହୋଇନଥିବାରୁ ଏହି ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏପଟେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରକଳ୍ପର ପୁନରୁଦ୍ଧାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ।


