ରଥଯାତ୍ରା ପ୍ରସ୍ତୁତିର ସ୍ଥିତି ପରଖିଲେ ମହାନଗର ନିଗମ ମେୟର ଓ କମିଶନର

କଟକ(ଓ୍ବାଇଏନଏସ): ଆସନ୍ତା ପବିତ୍ର ରଥଯାତ୍ରାକୁ ସୁରକ୍ଷିତ, ସୁଶୃଙ୍ଖଳ ଏବଂ ଭକ୍ତମାନଙ୍କ ପାଇଁ ସୁବିଧାଜନକ ଭାବେ ଆୟୋଜନ କରିବା ଲକ୍ଷ୍ୟରେ ଆଜି କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଓ କଟକ ମହାନଗର ନିଗମର କମିଶନର ସ୍ଥାନୀୟ କର୍ପୋରେଟରମାନେ, ସ୍ତାନୀୟ ପୂଜାକମିତି ମେମ୍ବର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ଆୟୋଜନ ସ୍ଥଳ ଓ ପାରିପାର୍ଶ୍ୱିକ ଅଞ୍ଚଳ ପରିଦର୍ଶନ କରି ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ରଥଯାତ୍ରା ମାର୍ଗର ରାସ୍ତାଘାଟର ଅବସ୍ଥା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ଅସ୍ଥାୟୀ ଶୌଚାଳୟ, ବର୍ଷାଜଳ ନିଷ୍କାସନ, ବ୍ୟାରିକେଡିଂ, ଟ୍ରାଫିକ୍ ପରିଚାଳନା, ଅଗ୍ନିଶମ ଓ ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସମେତ ସମସ୍ତ ମୌଳିକ ବ୍ୟବସ୍ଥାର ଟିକିନିଖି ଯାଞ୍ଚ କରାଯାଇଥିଲା। ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ କହିଥିଲେ ଯେ, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ କଟକ ସହରର ଗୌରବ ଓ ପରମ୍ପରାର ପ୍ରତୀକ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାକୁ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବା ସହ କୌଣସି ପ୍ରକାର ଅବହେଳା ବରଦାସ୍ତ କରାଯିବ ନାହିଁ। ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କମିଶନର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅବଶିଷ୍ଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା, ରଥଯାତ୍ରା ସମୟରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ ରଖିବା, ପାନୀୟ ଜଳ ଓ ବିଦ୍ୟୁତ ସେବାରେ କୌଣସି ବ୍ୟାଘାତ ନ ଘଟିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଟିମ୍‌କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ କର୍ପୋରେଟରମାନେ ନିଜ ନିଜ ୱାର୍ଡର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମେୟର ଓ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସ୍ଥଳରେ ହିଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଥଯାତ୍ରାର ସମସ୍ତ ପ୍ରସ୍ତୁତିକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଥିବା ବେଳେ, ସହରବାସୀ ଓ ଭକ୍ତମାନଙ୍କ ସହଯୋଗରେ ଏହି ମହାନ ପର୍ବକୁ ସୁରକ୍ଷିତ, ସୁଶୃଙ୍ଖଳ ଓ ସଫଳତାର ସହିତ ସମ୍ପନ୍ନ କରିବାକୁ ମହାନଗର ନିଗମ ଆଶା ପ୍ରକାଶ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ