ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦) ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।ବର୍ଷା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୭୦/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୮୫/୧୧୫(୨)/୩୨୯(୪)/୨୯୬/୧୦୯/୩୫୧(୨)/୩(୫) ଏବଂ ଯୌତୁକ ନିରୋଧ ଆଇନ ର ଧାରା -୪ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ ଆକାଶ ସିଂ, ଶାଶୁ ଜ୍ୟୋସ୍ନା ରାଣୀ ସିଂ,ନଣନ୍ଦ ରାଜଶ୍ରୀ ସିଂ,ଦେଢ଼ ଶାଶୁ ଜୟଶ୍ରୀ ସିଂ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏଏସଆଇ ଦିଲ୍ଲୀପ କୁମାର ଗରଡ଼ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ତଦନ୍ତକାରୀ ଅଧିକାରୀ ଶୁକ୍ରବାର ବର୍ଷା ଙ୍କ ସ୍ବାମୀ ଗଜପତି ଜିଲା ମୋହନା ଥାନା ଲିଲିଗଡ଼ ଗ୍ରାମର ଗ୍ରୋସରି ଦୋକାନୀ ଆକାଶ ସିଂ(୩୩) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨୦୨୩ ଜୁଲାଇ ୧୨ ତାରିଖରେ ବର୍ଷା ଗଜପତି ଜିଲା ମୋହନା ଥାନା ଲିଲିଗଡ଼ ଗ୍ରାମର ମୃତ୍ୟୁଞ୍ଜୟ ସିଂ ଙ୍କ ପୁଅ ଆକାଶ ଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଘର କରଣା ଆସବାବ ପତ୍ର ଦିଆଯାଇଥିଲା। ବାହାଘର ର ପ୍ରାୟ ୫ ମାସ ହସଖୁସିରେ କଟି ପରେ ଅଧିକା ଯୌତୁକ ପାଇଁ ତାଙ୍କୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ସବୁ ନିର୍ଯ୍ୟାତନା ସହ୍ୟ କରି ବର୍ଷା ଶାଶୁଘରେ ରହିଥିଲେ।ବାହାଘର ର ପ୍ରାୟ ୧ ବର୍ଷ ପରେ ଉଭୟଙ୍କ ଔରସ ରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।କନ୍ୟା ସନ୍ତାନ ଜନ୍ମ ହେବା ପରେ ସ୍ବାମୀ ଓ ଶ୍ବଶୁର ଘର ଲୋକେ ତାଙ୍କୁ ଯୌତୁକ ପାଇଁ ଅଧିକା ନିର୍ଯ୍ୟାତନା ଦେବା କାରଣରୁ ସେ ଶୁଣ୍ଡିପଲ୍ଲୀ ବାପଘର କୁ ଚାଲି ଆସିଥିଲେ।ଗତ ରବିବାର ସକାଳ ପ୍ରାୟ ୧୦ ଟାରେ ବର୍ଷା ଙ୍କ ସ୍ବାମୀ ଶାଶୁ,ନଣନ୍ଦ,ଦେଢ଼ଶାଶୁ ଶୁଣ୍ଡିପଲ୍ଲୀ ସ୍ଥିତ ତାଙ୍କ ବାପ ଘରକୁ ଆସି ତାଙ୍କୁ ବିଭିନ୍ନ ପ୍ରକାର ଆପତ୍ତିଜନକ ଭାଷା ରେ ଗାଳି କରିଥିଲେ।ସେ ପ୍ରତିବାଦ କରିବାରୁ ନଣନ୍ଦ ତାଙ୍କ ଡାହାଣ ହାତକୁ ମୋଡ଼ି ଦେଲେ।ସ୍ବାମୀ ତାଙ୍କ ଚୁଟି ଧରି ଘୋଷାଡି ତଳେ ପକାଇ ଦେଲେ। ଶାଶୁ ଓ ଦେଢ଼ଶାଶୁ ତାଙ୍କ ପିଠି, ଛାତି ଓ ପେଟ କୁ ଲାତ ଗୋଇଠା ମାରିବା ସହ ବାମ ହାତ କୁ ଚପଲ ରେ ମାରିବାରୁ ସେ ଆହାତ ହୋଇଥିଲେ। ପରେ ସ୍ବାମୀ ତାଙ୍କ ମୁହଁ ରେ ତକିଆ ଚାପି ଶ୍ୱାସରୁଦ୍ଧ କରି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।