ଦିନକୁ ଦିନ କୂଳ ଲଙ୍ଗୁଛି ସମୁଦ୍ର : ଭୟଭୀତ ଅବସ୍ଥାରେ ଗ୍ରାମବାସୀ
ଛତ୍ରପୁର(ଓ୍ବାଇଏନଏସ): ଦୈନିକ ଜଳପତନ ବୃଦ୍ଧି ସାଙ୍ଗକୁ ଜଳବାୟୁର ପରିବର୍ତନ ଯୋଗୁଁ ଏବେ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡି ଆସୁଛି । ଫଳରେ ଏବେ ଦୈନିକ କୂଳ ଲଙ୍ଗିବା ଘଟଣା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ଉପକୂଳ ଦିନକୁ ଦିନ ସମୁଦ୍ର କୂଳ ଲଂଘୁଛି | ସମୁଦ୍ରର ଏହି କରାଳ ରୂପ ପାଇଁ ଗଞ୍ଜାମ ବ୍ଲକର ଦୁଇ ପଚାଂୟତର ୧୬ ଖଣ୍ଡ ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ପୋଡମପେଟାର ର ଗୋଟିଏ ପରେ ଗୋଟିଏ ଘର ସମୁଦ୍ରରେ ଲୀନ ହେବା ପରେ କୂଳ ଏବେ ଖାଇ ଖାଇ ଗୋଟିଏ ପରେ ଗୋଟେ ଗାଁ କୁ ମାଡି ଚାଲିଛି । ଝାଉଁ ବଣ ସାଙ୍ଗକୁ ଜମି ଆସି ଜୀବନ ଜିବାକ ବିପଦରେ ରହିଛି । ଏନେଇ ବାରମ୍ବାର ଖବର ପ୍ରସାରଣ ପରେ ଗ୍ରାମବାସୀଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିବା ସହ ବିହିତ ପଦକ୍ଷେପ ନେବାପାଇଁ ଆଜି ଅପରାହ୍ନରେ ପ୍ରତିଶୃତି ଦେଇଥିଲେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ । ସନ୍ଧ୍ୟାରେ ତରବର ହୋଇ ସେଠାକୁ ଯିବାକୁ ଥିବା ରାସ୍ତାକୁ ଖୋଳି ଅବରୋଧ କରିଦେଇଛି ଜିଲ୍ଲା ପ୍ରଶାସନ l ଆଉ ଏହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ମାନେ l ସମୁଦ୍ର କୂଳ ଲଙ୍ଘିବାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳ ବୈଠକ ଡାକି ପ୍ରଥମେ ପ୍ରତିଶୃତି ଦେଲେ ଏବଂ ପରେ ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ସେଠାକୁ ଯିବାକୁ ଥିବା ରାସ୍ତା ଖୋଳି ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଦିଆଯାଇଛି l ଫଳରେ ସମୁଦ୍ର ର କୂଳ ଲଙ୍ଘିବା ଘଟଣା କୁ ଅଜ୍ଞାତରେ ଅଞ୍ଚଳ ବାସୀ ମାନେ ରହିବେ l ଆସୁଥିବା ବିପଦକୁ ଆଗରୁ ଜାଣିବା ପରିବର୍ତ୍ତେ ହଠାତ ବିପଦକୁ ଆମନ୍ତ୍ରଣ କରାଯାଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି l ଦିନକୁ ଦିନ ସମୁଦ୍ର ଗ୍ରାସୁଛି ଭିଟାମାଟି, ସମୁଦ୍ର ଏହି କରାଳ ରୂପ ଆଗରେ ହାର ମାନୁଛି ମଣିଷର ଅସ୍ତିତ୍ୱ । ଦିନକୁ ଦିନ ଉଚ୍ଚ ଜୁଆର ସାଙ୍ଗକୁ ଲଙ୍ଗୁଛି ସମୁଦ୍ର । ଦିନେ ଗ୍ରାମରୁ ଦୁଇ କିମି ଥିବା ବେଳେ ଏବେ ଗାଁ ମୁହଁରେ ସମୁଦ୍ର । ଏହି ସମୁଦ୍ର ଆଁ ରେ ଲୀନ ହୋଇଯିବ କି ୧୬ ଖଣ୍ଡ ଗାଁ । ଗଞ୍ଜାମ ବ୍ଲକର ପାଳିବନ୍ଧ ପଚାଂୟତର ୯ ଖଣ୍ଡ ଗ୍ରାମ ଓ ରାମଗଡ ପଚାଂୟତର ୭ ଖଣ୍ଡ ଗ୍ରାମବାସୀ ଏବେ ଜୀବନ ଓ ଜୀବକ ପାଇଁ ସଂଘର୍ଷ । ପୂର୍ବରୁ ପାଳିବନ୍ଧ ପଚାଂୟତର ପୋଡମପେଟାର ୫ଶହ ଘର ଥିବା ବେଳେ ଆଉ ମାତ୍ର କିଛି ହାତ ଗଣତି ଘର ରହିଛି । ଏବେ ଗୋଟେ ପରେ ଗୋଟେ ସମୁଦ୍ର ଆଁ ରେ ଲୀନ ହୋଇଗଲେଣି । ଯଦି ସେଠାରେ ଜନବସତି ନାହିଁ ତଥାପତି ଏବେ ସମୁଦ୍ର କୂଳ ଅନ୍ୟ ଗାଁ ଆଡକୁ ମୁହାଇବାରେ ଲାଗିଛି, କୂଳ ଖାଇ ଖାଇ ଯାଉଛି । ନିଜ ଆଖି ଆଗରେ ଭିଟାମାଟି ଉଜୁଡି ଯାଉଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି । ଗତ କିଛି ଦିନ ହେବ ସମୁଦ୍ର ଅସ୍ୱାଭାବିକ ଭାବେ ଉଚ୍ଚ ଜୁଆର ଗାଁ ମୁହାଁ ହେଉଛି । ଜୁଆର ପ୍ରଖର ସ୍ରୋତ ସିଧାସଳଖ ଗାଁ ମଧ୍ୟକୁ ମାଡି ଆସୁଛି । ଏନେଇ ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ନନେବେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତବାନି ଦେଇଛନ୍ତି । ଯେଉଁ ସମୁଦ୍ର ଦିନେ ଗାଁ ଠୁ ୨ କିଲୋମିଟର ଦୂରରେ ଥିଲା ତାହା ଆଜି ଗାଁ ମୁହଁରେ । ଏପରିକି ପୋଡମପେଟା ହେଉଛି ଅଲିଭ ରେଡଲେ କଇଁଚଙ୍କ ଅଣ୍ଡାଦାନ ଏନ୍ତୁଡି ଶାଳ ରହିଥିଲା । ପ୍ରତି ବର୍ଷ ୭ ଲକ୍ଷ ଗଣ ଅଣ୍ଡାଦାନ ମଧ୍ୟ ହେଉଥିଲା । କିନ୍ତୁ ଚଳିତ ବର୍ଷ ଏଠି ଅଣ୍ଡାଦାନ ମଧ୍ୟ ହୋଇପାରିଲା ନାହିଁ । କୂଳ ନଷ୍ଟ ହେବା ସହ ସବୁ ଭାଙ୍ଗି ଚୁରମାର ହୋଇଗଲା । ଗ୍ରାମବାସୀଙ୍କ ଆନ୍ଦୋଳନ ଚେତବାନି ଏବଂ ନ୍ୟୁଜ ୭ ରେ ବାରମ୍ବାର ଖବର ପ୍ରସାରଣ ପରେ ଗଞ୍ଜାମ ଜିଲାପାଳ ଗ୍ରାମବାସୀଙ୍କୁ କାର୍ଯ୍ୟାଳୟକୁ ଡାକି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ୭ ରୁ ୮ ଖଣ୍ଡ ଗ୍ରାମର ଭଦ୍ରବ୍ୟକ୍ତି, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଜିଲାପାଳଙ୍କ ସହ ବହୁ ସମୟ ଧରି ଆଲୋଚନା ହୋଇଥିଲା । ଜିଲା ପ୍ରଶାସନ ପକ୍ଷରୁ ଏକ ଟିମ ସେଠାକୁ ଯାଇ ସ୍ଥିତି ପରଖିବା ସହ ଏକ ଡିପିଆର ପ୍ରସ୍ତୁତ କରିବେ ଏବଂ ତାହା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ଗ୍ରାମବାସୀଙ୍କ ପକ୍ଷରୁ ତୁରନ୍ତ ପଥର ବନ୍ଧ ପକାଯିବାକୁ କହିଥିଲେ । ତୁରନ୍ତ ନକଲେ ଏବେ ବର୍ଷା ଲାଗି ରହିଛି ଗାଁ ଅଅଡକୁ ମାଡି ଆସିବ ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ନନେବେ ଏହି ଆନ୍ଦୋଳନ ଉଗ୍ରରୂପ ନେବ ବୋଲି କୁହାଯାଇଛି । ଏପରିକି ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହା ଉପରେ ଚିଠି ଲେଖିଛନ୍ତି । ତୁରନ୍ତ ବୈଷୟିକ ଟିମ ଆସି ସ୍ଥିତି ପରଖିବା ସହ ବିହିତ ପଦକ୍ଷେପ ନେବାକୁ ଚିଠିରେ ଉଲେଖ କରିଛନ୍ତି । ଅନ୍ୟ ପକ୍ଷରେ ୨୦୨୨ ଅଗଷ୍ଟ ୧୦ ରେ ରାଜ୍ୟସରକାର ଓ ଚେହ୍ନାଇର ଏନଆଇଓଟି ସହ ଏମଓୟୁ ହୋଇଥିଲା. ଏହି ଟିମ ବୈଷୟିକ ସହାୟତା ପ୍ରଦାନ କରିବ କିନ୍ତୁ ତାହା ଏପ୍ରର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । କେବଳ ଗଞ୍ଜାମ ବ୍ଲକ ର ପାଳିବନ୍ଦ ପଂଚାୟତ ସମୁଦ୍ର କୂଳ ଖାଉନି ଛତ୍ରପୁର ବ୍ଲକ ର ଆର୍ଯ୍ୟପଲ୍ଲୀ ଅଂଚଳ ରେ ମଧ୍ୟ୍ୟ କୂଳ ଖାଉଛି | ବେଳ ଥାଉ ଥାଉ ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ ତେବେ ପୋଡମପେଟା ଭଳି ଆଉ କିଛି ଗାଁ ସମୁଦ୍ର ଆଁ ରେ ଲୀନ ହୋଇଯିବ । ଏପରିକି ମାନଚିତ୍ରରୁ କିଛି ଗାଁ ସବୁଦିନ ପାଇଁ ଲିଭିଯିବ । ତେବେ ଜିଲା ପ୍ରଶାସନ ଏଥିପ୍ରତି କେତେ ସଜାଗ ରହିଛି ତାହା ସମସ୍ତଙ୍କ ନଜର ରହିଛି l


