ବର୍ଷାରେ ଫାଟିଗଲା ୮୦ ଲକ୍ଷରେ ଟଙ୍କା ବ୍ୟୟରେ ନିର୍ମିତ ଜଳସେଚନ ବିଭାଗର ରାସ୍ତା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ରାଜ୍ୟ ରାଜକୋଷରୁ ୮୦ ଲକ୍ଷ ଟଙ୍କା । କାମ ହେଲା ୧୫୩୦ ମିଟର ରାସ୍ତାରୁ ମାତ୍ର ୯୬୦ ମିଟର। ଆଉ ଫଳ? ଦୁଇ ଦିନ ବର୍ଷାରେ କୋଇଲିପୁର-ସାଇଲତଡା ରାସ୍ତା ଫାଟି ଆଁ କରିଛି। ପୁରୀ ଜିଲ୍ଲା ନିମାପଡା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଧୀନ କାକଟପୁର ଜଳସେଚନ ଉପବିଭାଗ ଦ୍ୱାରା ଅସ୍ତରଙ୍ଗ ବ୍ଲକ ସରିପୁର ପଞ୍ଚାୟତରେ ନିର୍ମାଣାଧୀନ ଏହି ରାସ୍ତା ଏବେ ବିଭାଗୀୟ ଦକ୍ଷତା ଉପରେ ବଡ ପ୍ରଶ୍ନଚିହ୍ନ। କାକଟପୁର ଜଳସେଚନ ଉପବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ରାସ୍ତା ପାଇଁ ୮୦ ଲକ୍ଷ ଅନୁଦାନ ହୋଇଥିଲା। ହିସାବ କଲେ ପ୍ରତି ମିଟରକୁ ୫୨୦୦ ଟଙ୍କାରୁ ଅଧିକ ପଡୁଛି। ଏତେ ଟଙ୍କାରେ ରାସ୍ତା ଅନ୍ତତଃ ବର୍ଷା ଦିନକ ତିଷ୍ଠିବା କଥା। ହେଲେ ଏଠି ପ୍ରଥମ ବର୍ଷାରେ ହିଁ ନାଲି ମୋରମ, ମେଟାଲ ଧୋଇଗଲା, ମାଟି ଦବି ଲମ୍ବା ଫାଟ ଦେଖାଦେଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଠିକାଦାର ମାତ୍ର ୯୬୦ ମିଟର ମେଟାଲିଂ କରି ବାକି ୫୭୦ ମିଟର କାମ ଅଧାରେ ଛାଡି ଫେରାର। ଫାଇନାଲ ବିଲ୍ ବି ହୋଇନି। ପ୍ରଶ୍ନ ଉଠୁଛି କାମ ଅଧା, ବିଲ୍ ନାହିଁ, ତେବେ ଯେତିକି ହୋଇଛି ତା’ର ମାନ କିଏ ଯାଞ୍ଚ କଲା? ନିମାପଡା ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ କଣ କେବଳ କାଗଜରେ ଦସ୍ତଖତ ପାଇଁ? ବର୍ତମାନ ରାଜ୍ୟରେ ବିଜେପି ସରକାର। ଜଳସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ। ସରକାର ସୁଶାସନ ଓ ପାରଦର୍ଶିତା କଥା କହୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ବିଭାଗରେ ଯଦି ୮୦ ଲକ୍ଷର କାମ ଦୁଇ ଦିନରେ ଭୁଶୁଡେ, ତେବେ ତଦାରଖ ବ୍ୟବସ୍ଥା କେଉଁଠି ଅଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି।ଅଧା ରାସ୍ତା ଆଉ ଫାଟିଥିବା ଅଂଶ ଯୋଗୁଁ ଛାତ୍ରଛାତ୍ରୀ, ରୋଗୀ, ବୃଦ୍ଧମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଦୁର୍ଘଟଣା ଆଶଙ୍କା ବଢିଛି।ସାଧାରଣ ରେ ଦାବୀ ହୋଇଛି କାମର ତୃତୀୟ ପକ୍ଷ ଗୁଣାତ୍ମକ ଯାଞ୍ଚ ହେଉ। ଅଧା କାମ ଛାଡିଥିବା ଠିକାଦାରଙ୍କୁ ତୁରନ୍ତ ବ୍ଲାକଲିଷ୍ଟ କରାଯାଉ। ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ଓ ଉପବିଭାଗୀୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ। ୭ ଦିନ ଭିତରେ ମରାମତି ସହ ବାକି କାମ ସାରିବାକୁ ନିର୍ଦେଶ ଦିଆଯାଉ। ଏ ନେଇ ନିମାପଡା ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସରିପୁର ପଞ୍ଚାୟତବାସୀ କହୁଛନ୍ତି ୮୦ ଲକ୍ଷର ହିସାବ ଦିଅ ନହେଲେ ଆମେ ହିସାବ ମାଗିବୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ