ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଅଭିଯୁକ୍ତ ଫେରାର
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଗତ ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି l ଉଭୟ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ପୋଲିସ ଗିରଫ ଭୟରେ ଗାଁ ଛାଡି ଫେରାର ହୋଇଯାଇଛନ୍ତି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସଂଘର୍ଷର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି । ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଘଟଣା ଉପରେ ନଜର ରଖାଯାଇଛି l ତଦନ୍ତ ପରେ ସଂଘର୍ଷର କାରଣ ଜଣାପଡିବ l ଆହତଙ୍କ ସଠିକ ସଂଖ୍ୟା ଜଣାପଡିନି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ । ସୂଚନା ଯୋଗ୍ୟ, ଗ୍ରାମର ଭୀମସେନ ଖଣ୍ଡେଇଙ୍କ ଗଛ ଡାଳ ଚୈତନ୍ୟ ବେହେରାଙ୍କ ଘର ଆଡକୁ ପଳାଇ ଆସିଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ଗଛ ଡାଳ କାଟିବା ପାଇଁ ଚୈତନ୍ୟ ଭୀମସେନଙ୍କୁ କହିଥିଲେ l ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା । ପରେ ଭୀମସେନଙ୍କ ସମ୍ପର୍କୀୟ ଗୌରାଙ୍ଗ, କାହ୍ନୁ ଚରଣ, ମିଲି, ଝିଲି, ସୁକାନ୍ତି, ସାବିତ୍ରୀ ମିଳିତ ଭାବେ ଚୈତନ୍ୟଙ୍କୁ ଆକ୍ରମଣ କରିଥିଲେ l ଚୈତନ୍ୟଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ l ଏ ନେଇ ଚୈତନ୍ୟଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ ୨୯୪/୨୦୨୬ ପଞ୍ଜିକରଣ କରିଛି। ଅପର ପକ୍ଷେ ଭୀମସେନ ଖଣ୍ଡେଇଙ୍କ ଅଭିଯୋଗ କ୍ରମେ ଏକ କୋର୍ଟ ମାମଲାରେ ତାଙ୍କ ପୁଅ ସାକ୍ଷୀ ଦେବାରୁ ତାଙ୍କୁ ବାବନ ବେହେରା, ବିକନ ବେହେରା, ଚୈତନ୍ୟ ବେହେରା, ଧବଳେଶ୍ୱର ବେହେରା ଘରେ ପଶି ଆକ୍ରମଣ କରିଥିଲେ l ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ l ଅଭିଯୋଗ କ୍ରମେ ପୋଲିସ ମାମଲା ନଂ ୨୯୫/୨୦୨୬ ପଞ୍ଜିକରଣ କରିଛି l


