ପଟ୍ଟା ରୁ ଅଂଶୀଦାରଙ୍କ ନାଁ କାଟିଦେଲା ତହସିଲ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉତ୍ତରାଧିକାରୀ
ହାଟଡିହି (୦୫/୦୭): ପୈତୃକ ସମ୍ପତ୍ତି ରୁ ଭାଗ ନଦେବାପାଇଁ ହୋଇଛି ଷଡଯନ୍ତ୍ର | ଅଂଶୀଦାରଙ୍କ ମୃତ୍ୟୁ ପରେ ପଟ୍ଟାରୁ ଉତ୍ତରାଧିକାରୀମାନଙ୍କ ନାମକୁ ବାଦ ଦିଆଯାଇଥିବା ଅଭିଯୋଗ ପରେ ତହସିଲ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି | କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଏଭଳି ଜାଲିଆତି ଓ ଚଞ୍ଚକତା ହୋଇଥିବା ଜଣାପଡିଛି | ମୃତକଙ୍କ ଉତ୍ତରାଧିକାରୀମାନେ ଜମି ଜାଲିଆତି ସମ୍ପର୍କରେ ଜାଣିବାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖି ତହସିଲର ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବି କରିଛନ୍ତି | ସୂଚନା ଅନୁଯାଇ ଉକ୍ତ ତହସିଲ ଅଧିନ ଭାତକରୁଆ ଗ୍ରାମର ସ୍ବର୍ଗତ ଅପର୍ତ୍ତି ଜେନା, ସ୍ବର୍ଗତ ହୃଷି ଜେନା, ସ୍ବର୍ଗତ ଏକାଦଶୀ ଜେନାଙ୍କ ନାମରେ ବଂଚୋ ମଜାରେ ଖାତା ନଂ-୪୬, ପ୍ଲଟ ନଂ-୪୦୨୦ ରେ ୩୪ ଡେସିମିଲ ଜମି ଥିଲା | ସେମାନଙ୍କ ମୃତ୍ୟୁ ପରେ ଉକ୍ତ ଜମି ଆଇନ ଅନୁଯାଇ ଉତ୍ତରାଧିକାରୀଙ୍କ ନାମକୁ ପରିବର୍ତ୍ତନ ହେବା କଥା | କିନ୍ତୁ, ଜମିର ସମସ୍ତ ଅଂଶୀଦାରଙ୍କ ଉତ୍ତରାଧିକାରୀଙ୍କ ନାଁ ବଦଳରେ ସଂଶୋଧିତ ପଟ୍ଟାରେ କେବଳ ସ୍ୱର୍ଗତ ହୃଷି ଜେନାଙ୍କ ବଡ଼ ପୁଅ ଲକ୍ଷ୍ମୀଧରଙ୍କ ନାଁ ଉଲ୍ଲେଖ ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି | ଅନ୍ୟ ଅଂଶୀଦାର ତଥା ସ୍ବର୍ଗତ ଏକାଦଶୀ ଜେନାଙ୍କ ପୁଅ କାମ୍ପାଳ ଜେନା ଏହି ଘଟଣାରେ ହାଟଡିହି ତହସିଲର ତତ୍କାଳୀନ ତହସିଲଦାର ମନୋଜ କୁମାର କେରକେଟା, କିରାଣୀ ବସନ୍ତ କୁମାର ରାଉତ, ରେକର୍ଡ କିପର ମାନସ ପାଢ଼ୀ, ବଂଚୋ ରାଜସ୍ବ ନିରୀକ୍ଷକ ଦିପ୍ତିମୟୀ ସାହୁ ଙ୍କ ସମ୍ପୃକି ଥିବା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି | ଏହି ଅସାଧୁ କର୍ମଚାରୀ ମାନେ ତାଙ୍କର ଅନ୍ୟ ଅଂଶୀଦାର ଲକ୍ଷ୍ମୀଧର ଜେନାଙ୍କ ସହ ଷଡଯନ୍ତ୍ର କରି କାମ୍ପାଳ ଓ ତାଙ୍କର ୫ଜଣ ଭଉଣୀଙ୍କ ବିନା ଅନୁମତିରେ ଦାଖଲ ଖାରଜ କେସ ନଂ-୧୨୮/୨୦୨୬ ବଳରେ ଏଭଳି ବେଆଇନ କାର୍ଯ୍ୟ କରିଛନ୍ତି | ଏହି ବେଆଇନ ତଥା ଷଡଯନ୍ତ୍ର ରେ ହାଟଡିହି ତହସିଲର କର୍ମଚାରୀଙ୍କୁ ଦାୟୀ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଜେନା ଗତ ମଙ୍ଗଳବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି |


