ପୋଡ଼ମପେଟା ଓ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ କ୍ଷୟ ଘଟଣା : ଡିପିଆର୍ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଛତ୍ରପୁର, (ଓ୍ବାଇଏନଏସ):ଦିନକୁ ଦିନ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଭୟଭିତ ଅବସ୍ଥାରେ ରହିଛନ୍ତି ପୋଡ଼ମପେଟା ଓ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଅଞ୍ଚଳବାସୀମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ସଭାରେ କହି ଆସୁଥିଲେ ହେଁ ତାହା କୋଣସି ସମାଧାନ ହେଉ ନାହିଁ। ଏନେଇ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗଣମାଧ୍ୟମରେ କହିଛନ୍ତି ଯେ ବିଗତ କିଛି ଦିନ ହେଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଓ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ କୂଳର ବହୁ ପରିମାଣରେ କ୍ଷୟ ଘଟିଛି। ଜଳସେଚନ ବିଭାଗର ଅଧିକ୍ଷକ ଯନ୍ତ୍ରୀଙ୍କୁ ବୈଷୟିକ ବିଶ୍ଳେଷଣ କରି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଚେନ୍ନାଇ ସ୍ଥିତ ଜାତୀୟ ସମୁଦ୍ର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଏନ୍. ଆଇ. ଓ. ଟି.) ପକ୍ଷ୍ୟରୁ ଚିକିଟି ବ୍ଲକର ରାମୟାପାଟଣା ଓ ଆର୍ଯ୍ୟପଲ୍ଲୀ ବେଳାଭୂମି କ୍ଷୟ ଉପରେ ବିଶ୍ଳେଷଣ କରିଛନ୍ତି ଏବଂ ତାହାର ଡିପିଆର୍ ଅତି ନିକଟରେ ପ୍ରସ୍ତୁତ ହେବାକୁ ଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହି ଦିଗରେ ପୋଡ଼ମପେଟା ଓ ସାନ ଆର୍ଯ୍ୟପଲ୍ଲୀରେ ବି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସୂଚନାଯୋଗ୍ୟ ଯେ ସମୁଦ୍ର କୂଳ କ୍ଷୟ ଦ୍ୱାରା ଅଞ୍ଚଳବାସୀଙ୍କ ଅସୁବିଧା ନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପୂର୍ବରୁ ଚିଠି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହା ସହିତ ବଢ଼ୁଥିବା ସମୁଦ୍ର କୂଳକ୍ଷୟ ଏବଂ ଭୟାବହ ସ୍ଥିତିକୁ ନେଇ ଉଭୟ ଅଞ୍ଚଳରେ ପହଁଞ୍ଚି ସମୁଦ୍ରକୂଳ ଅବକ୍ଷୟର ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥାୟୀ ଉପକୂଳ ସୁରକ୍ଷା ବ୍ୟବସ୍ଥା କିପରି ଶୀଘ୍ର କରାଯାଇପାରିବ, ସେନେଇ ମଧ୍ୟ ଆଲୋଚନା କରିଥିଲେ। ଏପଟେ ସମୁଦ୍ର କୂଳ ସୁରକ୍ଷା ପାଇଁ ସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀମାନେ ଦାବି କରିଛନ୍ତି। ସେମାନଙ୍କ ଆଶଙ୍କା ଯେ, ଉଚିତ ସମୟରେ ପଦକ୍ଷେପ ଗ୍ରହଣ ନ କରାଗଲେ ସମୁଦ୍ର ଜନବସତି ଆଡ଼କୁ ଅଗ୍ରସର ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ।


