ବୈତରଣୀରେ ପ୍ରଥମ ବନ୍ୟା ଜଳ: ଆଖୁଆପଦାରେ ବିପଦ ସଙ୍କେତ ନିକଟରେ ଜଳସ୍ତର
ଧାମନଗର (ଓ୍ବାଇଏନଏସ): ବୈତରଣୀରେ ପ୍ରଥମ ବନ୍ୟା, ଆଖୁଆପଦାଠାରେ ବିପଦ ସଙ୍କେତ ନିକଟରେ ଜଳସ୍ତର ରହିଥିବା ସୂଚନା।ଚଳିତ ଲଘୁଚାପ ଜନିତ ଲଗାତାର ବର୍ଷାରେ ବୈତରଣୀ ନଦୀରେ ପ୍ରଥମଥର ପାଇଁ ବନ୍ୟା ଜଳ ପ୍ରବାହିତ ହୋଇଛି। ଆଖୁଆପଦା ନିକଟରେ ନଦୀର ଜଳସ୍ତର ଏବେ ବିପଦ ସଙ୍କେତର ସାମାନ୍ୟ ନିମ୍ନରେ ରହିଛି। ବର୍ତ୍ତମାନ ସୁଦ୍ଧା ନଦୀ ଅବବାହିକାରେ କୌଣସି ବଡ଼ ଧରଣର ବନ୍ୟା ସମସ୍ୟା ଦେଖାଦେଇ ନାହିଁ। ତେବେ ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଲେ ଆଗାମୀ ସମୟରେ ଏହା ଏକ ମଧ୍ୟମ ଧରଣର ବନ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ନଦୀବନ୍ଧ ସୁରକ୍ଷା ଏବଂ ନିମ୍ନ ଅଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।ସ୍ଥାନୀୟ ପ୍ରଶାସନ ନଦୀକୂଳିଆ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିବାବେଳେ ବନ୍ୟା ପରିସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି। ଜଳସ୍ତର ଆହୁରି ବଢ଼ିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଏପଟେ ଲଗାତାର ବର୍ଷା ଯୋଗୁଁ ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳରେ ଧାନ ତଳି,ପନିପରିବା ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା ରହିଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି।


