ରାସ୍ତାକଡରେ ଅବାଧରେ ବିକ୍ରୀ ଚାଲିଛି ମାଛମାଂସ !ନିଘୋଡ ନିଦ୍ରାରେ ପୌର ପରିଷଦ କର୍ତ୍ତୃପକ୍ଷ
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ପରିସରଭୁକ୍ତ ବହୁ ପ୍ରମୁଖ ରାସ୍ତାକଡରେ ବର୍ଷବର୍ଷ ଧରି ଚାଲିଥିବା ଅବାଧ ମାଛମାଂସ ବିକ୍ରୀକୁ କେନ୍ଦ୍ର କରି ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର କେତେକ ମୁଖ୍ୟରାସ୍ତା କଡରେ ବହୁ ଆମିଷ ବ୍ୟବସାୟୀ ସେମାନଙ୍କ ବେପାର ଦିନକୁ ଦିନ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି । ସହରର ବ୍ୟସ୍ତବହୁଳ ଅଞ୍ଚଳର ରାସ୍ତାକଡରେ ମାଛମାଂସ ବିକ୍ରୀ ହେବା ଫଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସାଙ୍ଗକୁ ପାଠ ପଢିବା ପାଇଁ ରାସ୍ତାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଟ୍ୟୁସନ୍କୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ମାଂସ କାଟିବା ଲାଗି ଅତୀତରେ ପ୍ରଶାସନ ପକ୍ଷରୁ ଦୀର୍ଘବର୍ଷ ତଳେ ହାଟପଦା ଛକ ନିକଟସ୍ଥ କାଳିମୁଖୀ ସାହିରେ ଏକ କସେଇଖାନା ସ୍ଥାପନ କରାଯାଇଥିଲା । ମାଂସ ବ୍ୟବସାୟୀ ମାନେ ଉକ୍ତ କସେଇଖାନାରେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାଂସକାଟି ୧୫ନଂ ୱାର୍ଡ ଅଧିନସ୍ଥ ମାଛବଜାର ନିକଟସ୍ଥ ମାର୍କେଟ୍ରେ ବିକ୍ରୀ କରୁଥିଲେ । ତେବେ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଦୃରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଗତ କିଛିବର୍ଷ ହେଲା ମାଂସ କାଟିବା ଲାଗି ଉଦ୍ଦିଷ୍ଟ କସେଇଖାନାଟି ଜନମାନସରୁ ଲିଭି ଯାଇଥିଲା ବେଳେ ମାଂସ ବିକ୍ରୀ ପାଇଁ ଉଦ୍ଧିଷ୍ଟ ମାର୍କେଟ୍ଟି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିଲା । ଅତୀତରେ ଆସିକା ପୌର ପରିଷଦ ପକ୍ଷରୁ ହାଟପଦା ଛକ ନିକଟରେ ଆମିଷ ବିକ୍ରୀ କରିବା ପାଇଁ ଲକ୍ଷାଧିକ ବ୍ୟୟ ଅଟକଳରେ ପିଣ୍ଡି ସ୍ଥାପନ କରାଯାଇଥିଲା ବେଳେ ମାତ୍ର ହାତଗଣତି କିଛି ଆମିଷ ବ୍ୟବସାୟୀ ସେଠାରେ ବ୍ୟବସାୟ କରୁଥିବା ବେଳେ ବହୁ ଆମିଷ ବ୍ୟବସାୟୀ ସରକାରୀ ନୀତିନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ସ୍ଥାନୀୟ ପ୍ରଶାସନକୁ ଅନ୍ଧାରରେ ରଖି ସହରର ବହୁ ପ୍ରମୁଖ ତଥା ଜନଗହଳିପୂର୍ଣ୍ଣ ରାସ୍ତାର ରାସ୍ତାକଡରେ ନିଜର ଆମିଷ ବେପାରବଣିଜ କରୁଥିବା ଦେଖିବାକୁ ମିଳୁଛି । ସର୍ବସାଧାରଣଙ୍କ ଯାତାୟତ ରାସ୍ତାରେ କେତେକ ଆମିଷ ବ୍ୟବସାୟୀ ଛେଳି କୁକୁଡାଙ୍କୁ କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ଝୁଲାଇ ବିକ୍ରୀ କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନିଘୋଡ ନିଦ୍ରା ନଭାଙ୍ଗିବା ଅନ୍ତରାଳରେ କି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ । ଆସିକା ପୌର ପରିଷଦ ପରିସରଭୁକ୍ତ କେତେକ ଅଞ୍ଚଳର ମୁଖ୍ୟରାସ୍ତା କଡରେ ବହୁ ଆମିଷ ବ୍ୟବସାୟୀ ମାଛ, କୁକୁଡା କାଟୁଥିବାରୁ ଏହାର କୁପ୍ରଭାବ ସାଧାରଣତଃ ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିବା ଅଭିଯୋଗ ହେଉଛି । କେତେକ ଆମିଷ ବ୍ୟବସାୟ ଦୋକାନରେ କୁକୁଡା କାଟିବା ସମୟରେ ସେମାନଙ୍କ ବିକଳ ରଡି ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି । ଆସିକା ସହରର ବିଭିନ୍ନ ସାହିବସ୍ତିର ରାସ୍ତାକଡରେ ମାଛମାଂସ ବ୍ୟବସାୟ ଦିନକୁଦିନ ବୃଦ୍ଧି ପାଇ ଚାଲିଥିବା ଅଭିଯୋଗ ହେଉଛି । ସେହିଭଳି ଅତୀତରେ ମାଂସ ବ୍ୟବସାୟୀ ମାନେ ଛେଳିକୁ କାଟିବା ପରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଅନୁମତି ମିଳିବା ସାଙ୍ଗକୁ ମାଂସର କ୍ୱାଲିଟି ଠିକ୍ ଅଛି ବୋଲି ମାଂସରେ ସିଲ୍ ପଡିବା ପରେ ତାହାକୁ ବିକ୍ରୀ କରାଯାଉଥିଲା ତେବେ ବିଗତ କିଛିବର୍ଷ ହେଲା ଏହି ନିୟମ ମଧ୍ୟ ଆସିକା ଅଞ୍ଚଳରେ ବାଟବଣା ହୋଇଯାଇଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନଦେଇ ରାସ୍ତା କଡରେ ମାଛମାଂସ ବିକ୍ରୀ କରୁଥିବା ବ୍ୟବସାୟୀଙ୍କୁ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟବସାୟ କରିବା ଲାଗି ସୁଯୋଗ ଦେବା ଦିଗରେ ପଦକ୍ଷେପ ନେବାକୁ ବଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


