ଜୈବବିବିଧତା ହ୍ରାସର ପ୍ରଭାବ : ଲୋପ ପାଇବାକୁ ବସିଲାଣି ପାଟପୋକ

ଆସିକା (ୱାଇଏନ୍‍ଏସ୍‍) : ପ୍ରକୃତିର ଅନନ୍ୟ ଆକର୍ଷଣ, ଅପରୁପ ସୌନ୍ଦର୍ଯ୍ୟର ଅଧିକାରୀ, ଲାଲ ଟୁକୁଟୁକୁ ସାଧବବୋହୁ ଭାବେ ସର୍ବତ୍ର ପରିଚିତ ଥିବା ପାଟପୋକ ଆଉ ଆଗଭଳି ଗାଁଗହଳିର ଘାସଗାଲିଚାରେ ଧୀରେ ଧୀରେ ଚାଲିବାର ଦେଖିବାକୁ ମିଳୁନାହିଁ । ବର୍ଷାମାଟିକୁ ସ୍ପର୍ଶ କରିବା ପରେ ଧରଣୀରାଣୀର କୋଳରୁ ଏହି ପାଟପୋକ ଜନ୍ମ ନେଇଥାନ୍ତି । ବର୍ଷାଭିଜା ନରମ ମାଟିକୁ ଫଟାଇ ତାରି ଭିତରୁ ପଦାକୁ ଆସି ଧୀରେ ଧୀରେ ଚାଲୁଥିବା ଏହି ପାଟପୋକଙ୍କ ସୌନ୍ଦର୍ଯ୍ୟ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତିରାଣୀ ତାର ସମସ୍ତ ଗାଢ ରଙ୍ଗକୁ ଏହି ଛୋଟିଆ କୀଟ ଉପରେ ଢାଳିଦେଇଛି । ଉର୍ବର ଜମିରେ ପ୍ରଥମ ବର୍ଷା ପାଣି ପଡିଲେ ଏହି ପାଟପୋକ ଜନ୍ମ ନେଇଥାନ୍ତି । ମାଟି ଭିତରେ ବର୍ଷାଜଳ ପହଞ୍ଚି ଅନୁକୂଳ ତାପମାତ୍ରା ପାଇଲେ ଏହି ପୋକର ଅଣ୍ଡାରୁ ଛୁଆ ଜନ୍ମ ହୋଇଥାଏ । ଏହାପରେ ମାଟିରୁ ଜନ୍ମ ନେଇଥାନ୍ତି ଏହି କ୍ଷୁଦ୍ର ତଥା ଅତି ସୁନ୍ଦର ପାଟପୋକ । ଅତୀତରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳର ଚାଷଜମିରେ ଏହି ପାଟପୋକ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳୁଥିଲା । ଛୋଟ ଛୋଟ ପିଲାମାନେ ଏହି ପାଟପୋକକୁୁ ହାତରେ ଧରି ଆଦର କରିବା ସହ ବେଶ୍‍ ମଜା ନେଉଥିଲା ବେଳେ ଏହି ପୋକ ଜମିରୁ ପଦାକୁ ବାହାରିଲା ମାତ୍ରେ ଚାଷୀସମାଜ ବି ସେମାନଙ୍କ ଜମି ବେଶ୍‍ ଉର୍ବର ଅଛି ବୋଲି ନିଶ୍ଚିତ ହୋଇଯାଉଥିଲା । କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ପାଟପୋକ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ବିଶ୍ୱ ତାପାୟନ ସାଙ୍ଗକୁ ଅଧିକାଂଶ ଚାଷଜମିରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ମାଟିର ଉର୍ବରତା ହ୍ରାସ ପାଉଥିବା ଯୋଗୁଁ ଆଉ ପାଟପୋକ ଜନ୍ମ ହେଉନଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏହି ପାଟପୋକ ବର୍ଷକୁ ଥରେ ମାତ୍ର ଅଣ୍ଡା ଦେଇଥାନ୍ତି । ଯଦି ଅନୁକୂଳ ପାଗ ସୃଷ୍ଟି ନହୁଏ ତେବେ ଜମିରେ ହିଁ ଏହା ନଷ୍ଟ ହୋଇଯାଇଥାଏ । ଜୈବବିବିଧତା ରକ୍ଷା ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ କିଛି ବର୍ଷ ପରେ ଏହି ପାଟପୋକ ଇତିହାସ ପାଲଟିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଲାଲ ଟୁକୁଟୁକୁ ସାଧବବୋହୁର ନାଁ ଶୁଣିଲେ ମନରେ ଆନନ୍ଦ ଆସିଯାଇଥାଏ । ପାଟପୋକ ଛୋଟିଆ କୀଟଟିଏ ହୋଇଥିଲେ ବି ଏହାର ଅପୂର୍ବ ସୌନ୍ଦର୍ଯ୍ୟରେ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିମୋହିତ ହୋଇପଡିଥାନ୍ତି । ପ୍ରକୃତିରାଣୀର ସୌନ୍ଦର୍ଯ୍ୟମୟ ସୃଷ୍ଟି ପାଟପୋକ ସାଂପ୍ରତିକ ପରିସ୍ଥିତିରେ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିସାରିଛି । ସାଂପ୍ରତିକ ପରିସ୍ଥିତିରେ ପ୍ରଦୂଷିତ ପରିବେଶରେ ଏହି ପାଟପୋକର ବଂଶ ଲୋପ ପାଇବାକୁ ବସିଥିବା ବେଳେ ଆଧୁନିକତାର ଚାଦର ତଳେ ଚାପି ହୋଇଗଲାଣି ଏହି ସୁନ୍ଦର ଜୀବ । ଆଉ ପୂର୍ବ ପରି ସବୁଜ ଗାଲିଚାରେ ପାଟପୋକ ଧୀରେ ଧୀରେ ବୁଲାବୁଲି କରୁଥିବାର ଆଉ ଦେଖିବାକୁ ମିଳୁନାହିଁ । ଲାଲ୍‍ ଟୁକୁ ଟୁକୁ ସାଧବବୋହୁ ଏବି ନାଁଟି ଶୁଣିଲେ ଆଖି ଆଗରେ ନାଚି ଉଠିଥାଏ ସେହି ଭାରି ସୁନ୍ଦରିଆ ପୋକଟିଏ । ଭେଲ୍‍ବେଟ୍‍ ଭଳି ଭାରି କୋମଳ । ବିଷେଶକରି ବର୍ଷାଦିନରେ ଚାଷଜମି, ଖୋଲା ପଡିଆ, ବିଲହୁଡାରେ ଏହି ସୁନ୍ଦରିଆ ଛୋଟିିଆ ପାଟପୋକ ବା ସାଧବବୋହୁୁ ମାନଙ୍କୁ ଦେଖିବାକୁ ମିଳିଥାଏ । ବର୍ଷର ଅଧିକାଂଶ ସମୟ ଏହି ସୁନ୍ଦରିଆ ଜୀବ ପାଟପୋକ ମାଟି ତଳେ ରୁହନ୍ତି ଓ ବର୍ଷା ହେଲେ ବାହାରକୁ ଆସି ଖାଦ୍ୟ ଖୋଜିଥାନ୍ତି ଓ ପ୍ରଜନନ ମଧ୍ୟ କରିଥାନ୍ତି । ବର୍ଷକୁ ଥରେ ମାତ୍ର ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି । ତେବେ କୃଷିକାର୍ଯ୍ୟରେ ରାସାୟନିକ ସ।।ରର ଅତ୍ୟଧିକ ବ୍ୟବହାର ଯୋଗୁଁ ଏହି ସୁନ୍ଦରିଆ ଜୀବର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଗାମୀ କିଛି ବର୍ଷ ପରେ ଆମର ପରବର୍ତ୍ତୀ ପିଢୀ ପାଇଁ ଏହି ସୁନ୍ଦର ପାଟପୋକ ବିଷୟରେ ଜାଣିବା କେବଳ ପାଠ୍ୟପୁସ୍ତକରେ ସୀମିତ ରହିଯିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ