ଆବାସ ତାଲିକାରେ ଚଞ୍ଚକତା: ପ୍ରକୃତ ହିତ ଅଧିକାରୀ ବଞ୍ଚିତ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଗରିବଙ୍କ ପାଇଁ ଆସିଥିବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି ବୋଲି ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି। ସର୍ଭେ ନାଁରେ ହୋଇଥିବା ଚୟନ ପ୍ରକ୍ରିୟାରେ ଖୋଲାଖୋଲି ଚଞ୍ଚକତା ହୋଇଥିବା ଅଭିଯୋଗ ଆସିଛି। ଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଆଜି ବି ଚାଳ ଘରେ ରହୁଥିବା ବେଳେ ଗାଡି-କୋଠା ମାଲିକମାନେ ସରକାରୀ ଟଙ୍କା ଲୁଟୁଛନ୍ତି। ବ୍ଲକ ପ୍ରଶାସନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତରୁ ମୋଟ ହିତାଧିକାରୀ ଚୟନ ହୋଇଛନ୍ତି। ପଞ୍ଚାୟତ ଅନୁସାରେ ଅସ୍ତରଙ୍ଗରେ ୨୪୯, ନୂଆଗଡରେ ୧୩୭, ଝାଡ଼ଲିଙ୍ଗରେ ୧୮୦, ନଈଗୁଆଁରେ ୨୩୩, ଆଳଙ୍ଗପୁର ରେ ୭୧, ଆଳସାହିରେ ୧୧୬, ନଗର ରେ ୩୫୦, ତାଳଦାରେ ୩୪୨, କେନ୍ଦ୍ରାପଟିରେ ୫୯୯, ସରିପୁର ରେ ୨୮୫, ଶିଶୁଅରେ ୨୪୬, କୋରଣାରେ ୧୮୮, ଛୁରିଆନାରେ ୨୬୨, ମାଣ୍ଡୁକିରେ ୧୫୪ ଏବଂ ପାଟଳଦାରେ ୭୦ ଜଣ ହିତାଧିକାରୀ ରହିଛନ୍ତି। ଏଥିମଧ୍ୟରୁ ପୂର୍ବରୁ ୯୦୨ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ ହୋଇ ସାରିଛି ବୋଲି ଦାୟିତ୍ୱ ରେ ଥିବା ଅଧିକାରିଣୀ କହିଛନ୍ତି। କିନ୍ତୁ ଏହି ବଣ୍ଟନ ପ୍ରକ୍ରିୟାକୁ ନେଇ ବିଭିନ୍ନ ପଞ୍ଚାୟତରୁ ଅଭିଯୋଗର ଅଧିକ ମାତ୍ରାରେ ଚର୍ଚ୍ଚାରେ ଲାଗିଛି। ନାମ ଗୋପନ ରଖିବା ସର୍ତ୍ତରେ ଅନେକ ହିତାଧିକାରୀ କହିଛନ୍ତି ଯେ ସରକାରୀ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ଦଳୀୟ ଭିତରେ କିଛି କୁଜି ନେତା ଓ ସରକାରୀ କର୍ମଚାରୀ ମିଳିମିଶି ଅଯୋଗ୍ୟଙ୍କ ନାମ ତାଲିକାରେ ସାମିଲ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା ଯେଉଁମାନଙ୍କ ନାମରେ ୪ ଚକିଆ ଗାଡି ଅଛି, ପକ୍କା କୋଠାଘର ଅଛି, ଆଜବେଷ୍ଟ ଛାତ ଥିବା ଘର ଅଛି ସେମାନେ ମଧ୍ୟ ତାଲିକାରେ ରହିଛନ୍ତି। ଆଉ କିଛି ଲୋକ ତ ପୂର୍ବରୁ ଇନ୍ଦିରା ଆବାସ ବା ଅନ୍ୟ ଯୋଜନାରେ ଘର ପାଇସାରିଛନ୍ତି, ତଥାପି ପୁନର୍ବାର ସେମାନଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି। ତେବେ ଯେଉଁମାନେ ଆଜି ବି ଜରି ପାଲ ତଳେ ରାତି କାଟୁଛନ୍ତି ସେମାନଙ୍କ ନାମ ବାଦ ପଡିଛି। ବିଶେଷ କରି ସରିପୁର , ତାଳଦା, ନଗର, ଆଳସାହି କେନ୍ଦ୍ରାପଟି ଭଳି ଅଧିକ ହିତାଧିକାରୀ ଥିବା ପଞ୍ଚାୟତରେ ସବୁଠୁ ଅଧିକ ଅଭିଯୋଗ ଆସିଛି। ସ୍ଥାନୀୟ ଲୋକେ କହୁଛନ୍ତି କିସ୍ତି ଛାଡିବା ବେଳେ ପ୍ରତି ହିତାଧିକାରୀଙ୍କଠାରୁ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପିସି ମଗାଯାଉଛି।ଏହା କେତେ ଦୂର ସତ୍ୟତା ରହିଛି ଉଚ୍ଚ ସ୍ତରୀୟ ଟିମ୍ ସଠିକ ଯାଞ୍ଚର ଆବଶ୍ୟକତା ରହିଛି।ଏତେ ବଡ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିଦ୍ରାରେ। ବ୍ଲକ ଅଧିକାରୀମାନେ ନିଜେ ମାଟିକୁ ଓହ୍ଲାଇ ଯାଞ୍ଚ କରିବା ବଦଳରେ ଲୋକଙ୍କୁ କହୁଛନ୍ତି, ଅଭିଯୋଗ ବାକ୍ସରେ ଅଭିଯୋଗ ପକାନ୍ତୁ, ତାପରେ ଯାଞ୍ଚ ହେବ। ପ୍ରଶ୍ନ ଉଠୁଛି, ପ୍ରଶାସନ କଣ ଅଭିଯୋଗ ବାକ୍ସ ଚଳାଇବା ପାଇଁ ରହିଛନ୍ତି ନା ଲୋକଙ୍କ ସେବା ପାଇଁ ? ଜଣେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିବା ବେଳେ ପ୍ରଥମ କିସ୍ତି ୪୦ ହଜାର, ଦ୍ୱିତୀୟ ୬୫ ହଜାର ଏବଂ ତୃତୀୟ ୧୫ ହଜାର ଟଙ୍କା ଦିଆଯିବ। ଏତେ ବିପୁଳ ଅର୍ଥ କାହା ପକେଟକୁ ଯାଉଛି ତାହା ଏବେ ଚର୍ଚ୍ଚାର ବିଷୟ। ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି ଯେ ତଦାରଖର ଅଭାବ ଯୋଗୁଁ ଦୁର୍ନୀତି ବଢିଛି। ତଳ ସ୍ତର କର୍ମଚାରୀମାନେ ମନମୁଖୀ ଭାବେ ତାଲିକା ପ୍ରସ୍ତୁତ କରୁଛନ୍ତି। ସରକାର ଗୋଟେ ପଟେ “ପିସି ମୁକ୍ତ ଓଡିଶା” ନାରା ଦେଉଥିବା ବେଳେ ତୃଣମୂଳରେ ଚାଲିଛି ଆବାସ ବେପାର। ତେଣୁ ଜିଲ୍ଲାପାଳ, ପୁରୀ ଏବଂ ରାଜ୍ୟ ସରକାରଙ୍କ ପାଖରେ ସାଧାରଣରେ ଦାବି ହେଉଛି ତୁରନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା ଅସ୍ତରଙ୍ଗ ବ୍ଲକର ସମସ୍ତ ହିତାଧିକାରୀଙ୍କ ତାଲିକାର ଯାଞ୍ଚ କରାଯାଉ। ଯେଉଁ କର୍ମଚାରୀ ଓ ନେତା ଏହି ଚଞ୍ଚକତାରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ଏବଂ ଅଯୋଗ୍ୟଙ୍କ ନାମ ତୁରନ୍ତ କଟାଯାଉ।ନଚେତ ଗରିବଙ୍କ ସ୍ୱପ୍ନ କେବଳ କାଗଜରେ ରହିଯିବ ଏବଂ ସରକାରଙ୍କ ସବୁ ଦାବି ମିଥ୍ୟା ସାବ୍ୟସ୍ତ ହେବ। ଏବେ ସମସ୍ତଙ୍କ ନଜର ପ୍ରଶାସନ ଉପରେ।


