ବିବାହିତାଙ୍କୁ ଦ୍ଵିତୀୟ ବିବାହ ପରେ ଧୋକା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ରେ ରହୁଥିବା ଜଣେ ବିବାହିତା(୩୦) ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି ବ୍ଲକ ଅଧିନ ଏକ ଗାଁ ର ଶିବଶଙ୍କର ନାୟକ(୨୮) ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ  ମାମଲା ନଂ.୨୮୨/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୬୯/୩(୫) ଏବଂ ଆଇଟି ଆକ୍ଟ ର ଧାରା-୬୭(ଏ) ଅନୁଯାୟୀ ମକଦ୍ଦମା ରୁଜୁ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୀଡ଼ିତା ଓ ଅଭିଯୁକ୍ତ ଙ୍କ ଡାକ୍ତରୀ ମାଇନା କରାଇଥିଲେ। ଥାନାରେ ଜଣେ ମହିଳା ପୋଲିସ ଅଧିକାରୀ ପୀଡ଼ିତା ଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତଙ୍କୁ ସୋମବାର ରାତି ପ୍ରାୟ ୮ ଟାରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ମହିଳା ଙ୍କ ବାପ ଘର ଗୋଳନ୍ଥରା ଥାନା ଅଧିନ ଏକ ଗାଁରେ।ସେ ସେଠାରେ ରହୁଥିବା ବେଳେ ଶିବଶଙ୍କର ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଶିବଶଙ୍କର ତାଙ୍କୁ ଦ୍ଵିତୀୟ ବିବାହ କରି ସ୍ତ୍ରୀ ର ମର୍ଯ୍ୟାଦା ଦେବାର ପ୍ରତିଶ୍ରୁତି ଦେଇ  ବିଭିନ୍ନ ସମୟରେ ଶାରିରୀକ ସମ୍ପର୍କ ରଖିଥିଲେ। ମହିଳା ଜଣକ ତାଙ୍କୁ ବିବାହ କରିବାକୁ କହିବାରୁ ଶିବଶଙ୍କର ମହିଳାଙ୍କୁ ଦିଗପହଣ୍ଡି ବ୍ଲକ ଶ୍ରୀ ଉଜ୍ଜଳେଶ୍ଵର ଶୈବପୀଠ କୁ ଡାକି ନେଇ ଗାନ୍ଧର୍ବ ରୀତି ରେ ଫୁଲମାଳ ପିନ୍ଧାଇ  ବିବାହ କରିଥିଲେ।ଉଭୟେ ସ୍ବାମୀ ସ୍ତ୍ରୀ ଭାବେ ଏକତ୍ର ରହୁଥିଲେ।ଏହି ସମୟରେ ମହିଳା ଙ୍କ ଅଜାଣତରେ ଶିବଶଙ୍କର ତାଙ୍କ ମୋବାଇଲ ଫୋନ ରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡ଼ିଓ ଉତ୍ତୋଳନ କରି ପାଖରେ ରଖିଥିଲେ।ଶିବଶଙ୍କର ଙ୍କ ପ୍ରଥମ ସ୍ତ୍ରୀ ଅନ୍ୟଜଣେ ମହିଳା ଙ୍କ ସହ ତାଙ୍କ ସ୍ବାମୀ ଙ୍କ ଆପତ୍ତିଜନକ ଫଟୋ ଭିଡିଓ ଦେଖିବା ପରେ ସେଗୁଡ଼ିକୁ ଶ୍ବଶୁର ଘର ଲୋକଙ୍କ ମୋବାଇଲ  ହୁୱାଟସ୍ ଅପ୍ ଗୁଡ଼ିକୁ ଭାଇରାଲ କରି ଦେଇଥିଲେ। ଶିବଶଙ୍କର ଏହା ଜାଣିବା ପରେ ବ୍ୟତିବ୍ୟସ୍ତ ହୋଇ ପୀଡ଼ିତା ଙ୍କ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ। ଫଳରେ ପୀଡ଼ିତା ବେଘର ହୋଇଯିବା ସହ ମାନସିକ ଧକ୍କା ପାଇ ସାମାଜିକ ସ୍ତରରେ ନିନ୍ଦିତ ହୋଇଥିଲେ।ପରେ ସେ ଉପାୟଶୂନ୍ୟ ହୋଇ ଶୁକ୍ରବାର ଦିଗପହଣ୍ଡି ଥାନାରେ ପହଞ୍ଚି ଶିବଶଙ୍କର ଙ୍କ ବିରୋଧରେ ଏତଲା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ