ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ଶିବନାରାୟଣପୁର ଗ୍ରାମରେ ପାହାଡ଼ ପାଣି ଆସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶତାଧିକ ପରିବାର ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକଙ୍କ ଘରେ ପାଣି ପସି ଯାଇଥିବାରୁ ଲୋକମାନେ ତିନିଦିନ ହେଲା ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏପରିକି ଅନେକ ଲୋକଙ୍କ ରୋଷେଇ ଘରେ ପାଣି ପସିଥିବାରୁ ୩ ଦିନ ହେଲା ରୋଷେଇ କରି ନପାରି ଭୋକ ଉପବାସରେ କାଳ କାଟୁଛନ୍ତି। ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗାଁ ଲୋକେ ପନି ପରିବା ଚାଷ ଉପରେ ନିର୍ଭର କରୁଥିବା ବେଳେ ଶହ ଶହ ଚାଷୀଙ୍କ ପନି ପରିବା ଚାଷ ଉଜୁଡି ଯାଇଥିବା ବିଧାୟକଙ୍କୁ ଅବଗତ କରାଇ ଥିଲେ। ସେହିପରି ଅବିଶ୍ରାନ୍ତ ବର୍ଷା ହେବା ଦ୍ୱାରା ପାହାଡ଼ ପାଣି ଆସି ଗାଁରେ ବ୍ୟାପକ କ୍ଷୟକ୍ଷତି କରିଥିବା ଦର୍ଶାଇ ଥିଲେ। ପ୍ରତିବର୍ଷ ଏପରି କ୍ଷୟକ୍ଷତି ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଭାକର ଖଣ୍ଡା, ନିତ୍ୟାନନ୍ଦ ବେହେରା, ନନ୍ଦ କିଶୋର ବେହେରା, ଆନନ୍ଦ ଖଣ୍ଡା, ସାଗର ସାହୁ, ବଳରାମ ଘଡେଇ ପ୍ରମୁଖ ବିଧାୟକଙ୍କ ନିକଟରେ ଦାବି ରଖିଥିଲେ। ଭବିଷ୍ୟତରେ କିପରି ଏପରି ସମସ୍ୟା ନହେବ ସେନେଇ ବିଧାୟକ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ସହକାରୀ ମୁଖ୍ୟଯନ୍ତ୍ରୀଙ୍କ ସହିତ କଥା ହୋଇ ଜଳ ନିଷ୍କାସନର ସୁବ୍ୟବସ୍ଥା କରାଇବା ପାଇଁ ଆଲୋଚନା କରିଥିଲେ। ପାଣି ଘେରରେ ରହି ରୋଷେଇବାସ କରିପାରି ନଥିବା ପରିବାର ଗୁଡିକୁ ବିଧାୟକ ଚୁଡା, ବିସ୍କୁଟ ଆଦି ବଣ୍ଟନ କରିଥିଲେ। ତାଙ୍କ ସହିତ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅନରେନ୍ଦ୍ର ଧଳ, ଯୁବ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ବିଜେଡି ନେତା ଗୌରାଙ୍ଗ ରଣା, ବିମଳ କିଶୋର ଜେନା, ମୁକେଶ ରାଉତ, ରବୀନ୍ଦ୍ର ଜେନାଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ