ଋଣ ଖିଲାପ କାରୀଙ୍କ ବାସଭବନକୁ ସିଲ୍ କଲା ୟୁନିୟନ ବ୍ୟାଙ୍କ
ନାଉଗାଁ,(ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ ମଧୁପୁର ଗ୍ରାମର ଅଶୋକ ପରିଡା ବ୍ୟାଙ୍କରୁ ଋଣ ଆଣି ପରିଶୋଧ କରି ନଥିବାରୁ ମଙ୍ଗଳବାର ବ୍ୟାଙ୍କ ପକ୍ଷରୁ ତାଙ୍କ ବାସଭବନକୁ ସିଲ୍ କରାଯାଇଛି। ତହସିଲଦାର ଅକ୍ଷୟ କୁମାର ବଡୁ ଓ ପୋଲିସ ପ୍ରଶାସନଙ୍କ ସହାୟତାରେ ବ୍ୟାଙ୍କ କର୍ମଚାରୀମାନେ ଆସି ଘର ସିଲ୍ କରିଥିଲେ। ସୂଚନା ମୁତାବକ ଅଶୋକ ପରିଡା ଏକ ପରିଡା ଟେଡ୍ରସ ନାମରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଅରିଲୋ ଶାଖାରୁ ୧୫ଲକ୍ଷ ୨୫ ହଜାର ୭ଶହ ୬୭ ଟଙ୍କା ରୂଣ ଆଣିଥିଲେ। ଯାହାକି ରୂଣ ସହ ସୁଧ ଏବଂ ଅନ୍ୟାନ୍ୟ ଦେୟକୁ ପରିଶୋଧ କରିପାରି ନଥିଲେ। ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରି ନଥିବା ବେଳେ ବ୍ୟାଙ୍କକୁ ଅସହଯୋଗ କରିଥିଲେ। ଋଣ ପରିଶୋଧ ପାଇଁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ପ୍ରଦାନ କରାଯାଇଥିବା ବେଳେ ସେ ବ୍ୟାଙ୍କକୁ ଯାଇ ନଥିଲେ। ତେଣୁ ଋଣ ଆଣିଥିବା ବେଳେ ବନ୍ଧକ ରଖିଥିବା ସଂପତିକୁ ବ୍ୟାଙ୍କ ପକ୍ଷରୁ ସିଲ୍ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଯାହାଫଳରେ ବ୍ୟାଙ୍କ କର୍ମଚାରୀ ଆସି ତାଙ୍କ ଘରେ ପହଂଚି ଗୃହ ସିଲ କରିଥିଲେ। ପରବର୍ତି ସମୟରେ ଯଦି କେହି ବ୍ୟକ୍ତି ଉକ୍ତ ଗୃହକୁ କ୍ରୟ କିମ୍ବା ହସ୍ତାନ୍ତର କରାଯାଏ ତେବେ ବ୍ୟାଙ୍କ ଦାୟୀ ରହିବ ନାହିଁ ବୋଲି ସୂଚନା ପ୍ରଧାନ କରାଯାଇଛି। ଋଣ ଗ୍ରହିତା ବ୍ୟାଙ୍କ ଯାଇ ଆଲୋଚନା କରିବା ପରେ ଯାହା ନିଷ୍ପତି ଗ୍ରହଣ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏସଂକ୍ରାନ୍ତରେ ଅଶୋକଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ।


