ନକ୍ସାଅଙ୍କନକାରୀ ଅଭାବରୁ ନୂତନ ରାଜସ୍ବ ଗ୍ରାମର ସୀମା ନିର୍ଦ୍ଧାରଣରେ ବାଧା, ଲୋକେ ହନ୍ତସନ୍ତ

ଧାମନଗର (ଓ୍ବାଇଏନଏସ): ଧାମନଗର ତହସିଲ କାର୍ଯ୍ୟାଳୟରେ ନକ୍ସା ଅଙ୍କନକାରୀ ଅଭାବରୁ ନୂତନ ରାଜସ୍ବ ଗ୍ରାମର ସୀମା ନିର୍ଦ୍ଧାରଣରେ ବାଧା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାମନଗର ବ୍ଲକ ଓ ଏନ ଏ ସି ଏବଂ ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ବ ଗ୍ରାମରେ ଜନସଂଖ୍ୟା,ନୂଆ ଖାତାଦାର ଓ କିସମ ପରିବର୍ତ୍ତନ ବୃଦ୍ଧି ହେତୁ ନୂତନ ରାଜସ୍ବ ଗ୍ରାମର ସୀମା ନିର୍ଦ୍ଧାରଣ (ବି.ସି.ପି.) କାର୍ଯ୍ୟ କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଧାମନଗର ତହସିଲ ଅଞ୍ଚଳର ୭ ରୁ ଅଧିକ ରାଜସ୍ବ ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା (ବିସିପି) ପାଇଁ ୨୦୦୦ ମସିହାରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦୀର୍ଘ ୧୨ବର୍ଷ ପରେ ଅର୍ଥାତ ୨୦୧୨ ମସିହାରେ ଏହି କାର୍ଯ୍ୟର ପ୍ରକ୍ରିୟା ଧାମନଗର ତହସିଲ ଅଞ୍ଚଳରେ ଲାଗୁହେଲା। ୨୦୧୨ ମସିହାରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ୭ରୁ ଅଧିକ ରାଜସ୍ବ ଗ୍ରାମରେ କେତେକ କାର୍ଯ୍ୟ ପ୍ରତି ପ୍ରତିବନ୍ଧକ ଲଗାଇବାକୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ଆଜକୁ ଦୀର୍ଘ ୧୧ ବର୍ଷ ଧରି ଏହି ସବୁ ରାଜସ୍ବ ଗ୍ରାମର ପାଖାପାଖି ୨୬ ହଜାରରୁ ଅଧିକ ଲୋକେ ବିଭିନ୍ନ ସରକାରୀ ପ୍ରମାଣପତ୍ର, ଜମିଜମା କାଗଜାତ ଏବଂ ଝିଅ ବାଘର କରିବା ପାଇଁ କିଣିବା ଓ  ବିକ୍ରି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସଂଖ୍ୟା ବଢ଼ି ଧାମନଗର ତହସିଲର ୯ ରାଜସ୍ବ ସର୍କଲ ରାଧାବଲ୍ଲଭପୁର,ରଇପୁର,ଦେଉଳିଡିହ, ସରପୁର,ଧାମନଗର,ଅସୁରାଳି,ସହିଦନଗର,ସୋଧ,କୋଠାର ଅନ୍ତର୍ଗତ ୧୧ ରାଜସ୍ବ ଗ୍ରାମ ପଳିକିରୀ,ମୋଉଦପୁର, ଦେଉଳିଡିହି,ଧୁଷୂରୀ,ସରପୁର,ଜୟନଗର,ଧର୍ମାଗତପୁର, ଶ୍ରୀଗଙ୍ଗା,ଗୌଡବିଶି ନୂଆପଡ଼ା,କାକୁଡ଼ିଗଡିଆ,ବୟାଙ୍ଗଡିହରୁ ୧୪ ନୂଆ ହାମଲେଟ ଭିଲେଜ ଯଥା ବାଇଦିପୁର, ଜଗନ୍ନାଥବାଡି,ବନ୍ଧସାହି,ଜଗନ୍ନାଥ ସାହି,ଲେଙ୍କାସାହି,କାଙ୍କରା, ମୁନସିପାଟଣା,କେଳାଙ୍ଗ ଶାସନ,ଶ୍ୟାମଚାନ୍ଦ ପାଟଣା, ବେଲମଳା, ଗୋବିନ୍ଦାଗଡିଆ,ଉଚ୍ଚପଦା,ଆମ୍ବିଳିଗାଁ, ଭଉରିଆଁବାଙ୍କ ଇତ୍ୟାଦି ଗଠନ ପାଇଁ ସିଦ୍ଧାନ୍ତ ନିଆଯାଇଥିଲା।ଏହି ଆଦେଶ ଯୋଗୁଁ ଉପର ୧୧ ଟି ମୂଳ ରାଜସ୍ୱ ମୌଜାର ଲୋକମାନେ ନିମ୍ନଲିଖିତ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଯଥା ୧-ନାମଜାରୀ ନକରି ପାରିବା,୨-କିସମ ପରିବର୍ତ୍ତନ ନକରି ପାରିବା,୩- କବଲାମୂଳେ ଦଲିଲ ନକରି ପାରିବା,୪- ସଂପତ୍ତି ବିଭାଗ ବଣ୍ଟନ ନକରି ପାରିବା ଆଦି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥିଲା। ତେବେ ଗତ ତା ୧୫/୦୩/୨୦୨୨ ରିଖରେ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ଼. ସୁରେଶ ଚନ୍ଦ୍ର ଦଳାଇ ଓ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ତହସିଲକୁ ପାସବୁକ ଘୋଟାଲା ସମ୍ପର୍କିତ ଆର୍ଥିକ ତଦନ୍ତ ପାଇଁ ଆସିଥିବା ସମୟରେ ଏହି ଅସୁବିଧା ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ସୁଧାକର ଦାଶ ଅବଗତ କରାଇଥିଲେ। ଆର.ଡି.ସି.ଙ୍କ ପ୍ରତିଶ୍ରୁତି ପରେ ତତ୍ପର ହୋଇଉଠିଥିଲା ରାଜସ୍ବ ବିଭାଗ। ଏହି ବି.ସି.ପି.ବା ନୂତନ ରାଜସ୍ୱ ଗ୍ରାମ ସୀମା ନିର୍ଦ୍ଧାରଣ କାର୍ଯ୍ୟପାଇଁ ଧାମନଗର ତହସିଲକୁ ତିନିଜଣ ଅବସରପ୍ରାପ୍ତ ଓ ତିନିଜଣ କାର୍ଯ୍ୟରତ ଏପରି ମୋଟ ୬ଜଣ କର୍ମଚାରୀ ଯୋଗାଇ ଦିଆଯାଇଥିଲା। ପରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପ୍ରଚେଷ୍ଟା ଫଳରେ ୭ଟି ରାଜସ୍ବ ଗ୍ରାମର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ୭ ଟିରେ ପ୍ରୋସେସିଂ ଚାଲିଛି। ଅନ୍ୟ ୧୧ ଟି ରାଜସ୍ବ ଗ୍ରାମର କାର୍ଯ୍ୟ ଏଯାବତ ଆରମ୍ଭ ହୋଇନାହିଁ। ତେବେ ନୂତନ ରାଜସ୍ବ ଗ୍ରାମର ନକ୍ସା ପାଇଁ ଆବଶ୍ୟକ କର୍ମଚାରୀ ଏବଂ ଅଙ୍କନକାରୀ (ଡ୍ରାଫ୍ଟସମ୍ୟାନ) ନଥିବାରୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ହୋଇ ପାରୁନାହିଁ ବୋଲି ସୂଚନା ମିଳିଛି। ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଧାମନଗର ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭାଗୀୟ ସଚିବ ଏବଂ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ