ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ

କଟକ, (ଓ୍ବାଇଏନଏସ): ଚଳିତ ବର୍ଷ କଟକରେ ରଥଯାତ୍ରା ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟଳୟ ଦ୍ଵାରା ଆୟୋଜିତ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରାକୁ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସହ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ଶ୍ରୀ କମଳଜିତ ଦାସ ରଥର ସୁରକ୍ଷା ପାଇଁ ରଥ ଗତି କରୁଥିବା ପଥଗୁଡିକରୁ ବିଦ୍ୟୁତ ତାର, ଟିଭି କେବୁଲ ତାର ସହ ଅନ୍ୟାନ୍ୟ ସଂସ୍ଥା ଦ୍ଵାରା ବିଛା ଯାଇଥିବା କେବୁଲ ତାର ଅପସାରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ଆଲୋଚନା କରିବା ସହ ରଥ ରହଣିସ୍ଥଳ ମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଆଶୁ ଚିକିତ୍ସା , ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଦି ସମ୍ବନ୍ଧରେ ଆଲୋଚନା କରିଥିଲେ । ଦେଖାଦେଉଥିବା କେବୁଲ ତାର ଅପସାରଣ ର ସମସ୍ୟା ନିମନ୍ତେ ସଦର ଉପ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ନିରିକ୍ଷକ ଦଳ ରଥଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥାନ ଗୁଡିକ ପରିଦର୍ଶନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ସହରରେ ହରିପୁର-ଦୋଳମୁଣ୍ଡାଇ ଏବଂ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟସ୍ଥିତ ବଳଦେବଜୀଉ ମନ୍ଦିର, ତୁଳସୀପୁର, ପିଠାପୁର, ଯୋବ୍ରା ସହ ଚଳିତ ବର୍ଷ ନୂତନ ଭାବେ ଅନୁଷ୍ଠିତ ହେବାକୁ ଥିବା ସିଡିଏ ସେକ୍ଟର- ୬ ସ୍ଥିତ ଜଗନ୍ନାଥ ମନ୍ଦିର ଆଦି ସ୍ଥାନମାନଙ୍କରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାରେ ଧାର୍ମିକ ମନୋଭାବ ସହ କର୍ତ୍ତବ୍ୟ ପରାୟଣ ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜର କାର୍ଯ୍ୟ ସଂପାଦନ କରି ଚଳିତ ବର୍ଷ ରଥଯାତ୍ରାକୁ ସରସ ,ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବୈଠକରେ ଆଲୋଚନା କରଯାଇଥିଲା । ରଥ ନିର୍ମାଣ, ନୀତି ନିର୍ଘଣ୍ଟ, ପ୍ରସ୍ତୁତି ତଥା ଆବଶ୍ୟକୀୟ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ବିଭିନ୍ନ ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥାପନା କରିଥିବା ବେଳେ ,ରାସ୍ତାଘାଟର ମରାମତି, ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ, ନୀରବଚ୍ଛିନ୍ନ ବିଦ୍ୟୁତସେବା, ଜଳସିଞ୍ଚନ, ଆଶୁ ଚିକିତ୍ସା, କେବୁଲ ତାର ଅପସାରଣ, ରଥଯାତ୍ରା ସମୟରେ ସହରରେ ଦିବାରାତ୍ର ପରିମଳ ବ୍ୟବସ୍ଥା, ନାଳନର୍ଦମା ଗୁଡିକର ସଫେଇ ଓ ଜଳନିଷ୍କାସନ ,ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ଚଳିତ ବର୍ଷ ରଥଯାତ୍ରା ସହରରେ ଅନୁଷ୍ଠିତ ହେଉଥିବାରୁ ସମସ୍ତ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିବା ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ବୈଠକରେ ଅତିରିକ୍ତ ପୁଲିସ ଉପ ଆୟୁକ୍ତ ରଞ୍ଜନ ପୃଷ୍ଟିଙ୍କ ସମେତ ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ, ଟିପିସିଓଡ଼ିଏଲ, କଟକ ମହାନଗର ନିଗମ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ସାହୁ, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି, ଶ୍ରୀ ଭିକାରି ଦାସ, ରାଣିହାଟ ବଳଦେବଜୀଉ ରଥଯାତ୍ରା କମିଟି ସଭାପତି, ଶ୍ରୀ ବିଜୟ କୁମାର ସାହୁ, ହରିପୁର ଦଳମୁଣ୍ଡାଇ ରଥଯାତ୍ରା କମିଟି ପକ୍ଷରୁ ଶ୍ରୀ ହରେକୃଷ୍ଣ ପ୍ରଧାନ, ତୁଳସୀପୁର ମଠସାହି ରଥଯାତ୍ରା କମିଟି, ପିଠାପୁର ରଥଯାତ୍ରା କମିଟିର, ଯୋବ୍ରା ଓ.ସି.ଡି.ଏ ଶ୍ରୀ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି ର ସଦସ୍ୟ ତଥା ଉପସ୍ଥିତ ରହି ମତାମତ ପ୍ରକାଶ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ