କଟକରେ ମହିଳାଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କଟକ, (ଓ୍ବାଇଏନଏସ): କଟକ ସହରରେ ପୁଣି ଥରେ ଅପରାଧୀଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ସମ୍ରାଟ ହଲ୍‌ ନିକଟ ତାଳଦଣ୍ଡା ରାସ୍ତାରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୩୬ ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଘଟଣାରେ ମହିଳାଙ୍କ ସହ ତାଙ୍କ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜଣେ ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ନଗଦ ଲୁଟିନେଲେ ୬ ଲୁଟେରା । ରବିବାର ରାତି ପ୍ରାୟ ୧୦ ରୁ ୧୦.୩୦ ମଧ୍ୟରେ ପିଙ୍କି ସାହା ନାମକ ଜଣେ ମହିଳା ଓ ତାଙ୍କ ସହ ଥିବା ଜଣେ ଗହଣା ଦୋକାନୀ କର୍ମଚାରୀ ଓଏମପି ଛକ ସ୍ଥିତ କଲିକତା ବସ୍ ଷ୍ଟପ୍ କୁ ସ୍କୁଟିରେ ଯିବା ସମୟରେ ଜାତୀୟ ରାଜପଥ ୧୬ ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ୬ ଜଣ ଲୁଟେରା ହଠା‌ତ୍ ଗାଡ଼ି ଅଟକାଇବା ସହ ଅତର୍କିତ ଆକ୍ରମଣ କରିଥିଲେ। ପିଙ୍କି ପ୍ରତିବାଦ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଲୁହାଛଡ଼ରେ ଆକ୍ରମଣ କରି ଟଙ୍କା ବୋଝେଇ ବ୍ୟାଗ୍ ଧରି ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ପିଙ୍କିଙ୍କୁ ପୁଲିସ ଉଦ୍ଧାର କରି ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ପିଙ୍କି ସାହା ଜଣେ ସୁନା ବ୍ୟବସାୟୀ ହୋଇଥିବା ବେଳେ କଲିକତା ସୁନା ଅଳଙ୍କାର କିଣିବା ପାଇଁ ବସ୍ ଯୋଗେ ଓ ଏମ୍ ପି ରୁ ୧୦.୩୦ ରେ ବାହାରିବାର ଥିଲା। ଏହାର କିଛି ମିନିଟ୍ ପୂର୍ବରୁ ରାଜରାସ୍ତାରେ ଲୁଟ କରି ଚମ୍ପଟ୍ ମାରିଲେ ଲୁଟେରା। ଏନେଇ ପିଙ୍କିଙ୍କ ସମ୍ପର୍କୀୟମାନେ ମଧୁପାଟଣା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଟିମ୍ ମେଡିକାଲରେ ପହଞ୍ଚି ପିଙ୍କିଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ