୪୫ ମିନିଟ୍‌ରେ ମହାପ୍ରଭୁଙ୍କ ଅନନ୍ୟ ଅଭିବ୍ୟ

ଛତ୍ରପୁର, (ଓ୍ବାଇଏନଏସ): ରଥଯାତ୍ରା ଅବସରରେ ଭକ୍ତିଭାବ ସହ କଳାର ଅପୂର୍ବ ସମନ୍ୱୟର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରରେ। ଛତ୍ରପୁର ଦେବିନଗର ବାସିନ୍ଦା ଚିତ୍ରଶିଳ୍ପୀ ତଥା ଯୁବ ଲେଖିକା, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୫ ର ଅଧିକାରିଣୀ ଶୁଭାସ୍ମିତା ପଣ୍ଡା ମହମବତୀର ମହମ ଓ କାଗଜକୁ ମାଧ୍ୟମ କରି ମାତ୍ର ୪୫ ମିନିଟ୍ ମଧ୍ୟରେ ୧୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରଥଯାତ୍ରାର ପବିତ୍ର ପରିବେଶକୁ ଆହୁରି ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି କଳାକୃତିରେ ମହାପ୍ରଭୁଙ୍କ ଦିବ୍ୟ ରୂପ, ପାରମ୍ପରିକ ଶୈଳୀ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଅତ୍ୟନ୍ତ ନିଖୁଣ ଭାବେ ଉପସ୍ଥାପିତ ହୋଇଛି। ମହମ ଭଳି ଏକ କୋମଳ ସାମଗ୍ରୀରେ ଅତି ସ୍ୱଳ୍ପ ସମୟ ମଧ୍ୟରେ ଏଭଳି କଳାକୃତି ସୃଷ୍ଟି କରିବା ତାଙ୍କର କଳାଦକ୍ଷତା ଓ ସୃଜନଶୀଳତାର ଅନନ୍ୟ ପରିଚୟ ବହନ କରୁଛି। ବର୍ତ୍ତମାନ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଚତୁର୍ଥ ବର୍ଷର ଛାତ୍ରୀ, ବ୍ରହ୍ମପୁର ରେ ଅଧ୍ୟୟନରତ ଶୁଭାସ୍ମିତା ପଣ୍ଡା ପାଠ୍ୟଜୀବନ ସହିତ ସାହିତ୍ୟ ଓ କଳାକୁ ନିଜ ଜୀବନର ସାଧନାରେ ପରିଣତ କରିଛନ୍ତି।ଚିତ୍ରକଳା ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅନୁରାଗ ଅତୁଳନୀୟ। ସେ  ତିନୋଟି ପୁସ୍ତକର ରଚୟିତ୍ରୀ, ଯାହା ନୋସନ୍ ପ୍ରେସ ଚେନ୍ନାଇ ଦ୍ଵାରା ପ୍ରକାଶିତ ହୋଇ  ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ଖ୍ୟାତିଅର୍ଜନ କରିପାରିଛି। ଚିତ୍ରକଳା କ୍ଷେତ୍ରରେ ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକାଧିକ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିବା ବେଳେ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ନିଜର ସୃଜନଶୀଳ ଲେଖନୀ ପାଇଁ ବିଶେଷ ପରିଚିତ। ତାଙ୍କର ଏହି ସୃଜନଶୀଳ ଯାତ୍ରାକୁ ସ୍ୱୀକୃତି ଦେଇ ଗଞ୍ଜାମ ପ୍ରତିଭା ସମ୍ମାନ, ଶ୍ରେଷ୍ଠ ଲେଖିକା ସମ୍ମାନ, ବିକ୍ଷିପ୍ତ ଜ୍ୟୋତି ସମ୍ମାନ ସମେତ ଅନେକ ସାହିତ୍ୟିକ ଓ ସାଂସ୍କୃତିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ଏହା ସହ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୫ ରେ ସ୍ଥାନ ଅଧିକାର କରି ସେ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି।  ରଥଯାତ୍ରା ଭଳି ଆଧ୍ୟାତ୍ମିକ ମହାପର୍ବରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ନିଜର ଭକ୍ତିଭାବକୁ କଳା ମାଧ୍ୟମରେ ଅଭିବ୍ୟକ୍ତ କରିବା ପାଇଁ ସେ ମହମକୁ ବାଛିଥିଲେ। ମାତ୍ର ୪୫ ମିନିଟ୍‌ରେ ପ୍ରସ୍ତୁତ ଏହି ୧୫ ଇଞ୍ଚର ପ୍ରତିକୃତି ଦର୍ଶକଙ୍କୁ ଭକ୍ତିଭାବରେ ବିମୋହିତ କରିବା ସହ କଳାପ୍ରେମୀଙ୍କ ପ୍ରଶଂସା ମଧ୍ୟ ସାଉଁଟୁଛି। ଅନେକଙ୍କ ମତରେ, ଏହା କେବଳ ଏକ କଳାକୃତି ନୁହେଁ; ବରଂ ଭକ୍ତି, ପରମ୍ପରା ଓ ସୃଜନଶୀଳତାର ଏକ ସୁନ୍ଦର ସମାଗମ। ଶୁଭାସ୍ମିତାଙ୍କ ଏହି ଅଭିନବ ପ୍ରୟାସ ପୁଣିଥରେ ପ୍ରମାଣ କରିଛି ଯେ, ଯୁବପିଢ଼ି ମଧ୍ୟରେ କଳା ଓ ସାହିତ୍ୟ ପ୍ରତି ଆଗ୍ରହ ଏବଂ ସଂସ୍କୃତି ପ୍ରତି ଶ୍ରଦ୍ଧା ଆଜି ମଧ୍ୟ ସମାନ ଭାବେ ଜୀବନ୍ତ ରହିଛି। ରଥଯାତ୍ରାର ମହାପର୍ବରେ “ମହମରୁ ମହାବାହୁ” ସୃଷ୍ଟି କରି ସେ କେବଳ ଏକ ଶିଳ୍ପକୃତି ନୁହେଁ, ବରଂ ଓଡ଼ିଆ ଅସ୍ମିତା, ଭକ୍ତି ଓ ସୃଜନଶୀଳତାର ଏକ ସ୍ମରଣୀୟ ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି। ଏହି ସୃଜନ ସମ୍ପର୍କରେ ଶୁଭାସ୍ମିତା ପଣ୍ଡାଙ୍କ କହିବାନୁସାରେ, ମଣିଷର ଜୀବନରେ କୌଣସି କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ କେବଳ ପ୍ରତିଭା ଯଥେଷ୍ଟ ନୁହେଁ; ବରଂ ଦୃଢ଼ ମନୋବଳ, ଅକ୍ଳାନ୍ତ ପରିଶ୍ରମ, ଆତ୍ମବିଶ୍ୱାସ, ଶୃଙ୍ଖଳା ଏବଂ ନିରବଚ୍ଛିନ୍ନ ସାଧନା ହିଁ ସଫଳତାର ପ୍ରକୃତ ସୋପାନ। ତାଙ୍କ ମତରେ କଳା, ସାହିତ୍ୟ, ବିଜ୍ଞାନ କିମ୍ବା ଅନ୍ୟ ଯେକୌଣସି କର୍ମକ୍ଷେତ୍ର ହେଉ, ଯିଏ ନିଜ ଲକ୍ଷ୍ୟ ପ୍ରତି ଅବିଚଳ ରହି ନିଷ୍ଠାର ସହ ସାଧନା ଜାରି ରଖେ, ସଫଳତା ଦିନେ ନା ଦିନେ ନିଶ୍ଚିତ ଭାବେ ତାଙ୍କ ପଦଚୁମ୍ବନ କରେ। ନିରନ୍ତର ଅଧ୍ୟବସାୟ, ଧୈର୍ଯ୍ୟ ଓ ସକାରାତ୍ମକ ଚିନ୍ତାଧାରା ହିଁ ଜଣେ ସାଧାରଣ ମଣିଷଙ୍କୁ ଅସାଧାରଣ ସଫଳତାର ଶିଖରରେ ପହଞ୍ଚାଇଥାଏ ବୋଲି ସେ ମତପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ