ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁ ର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ରାତି ଅଧରେ ଦୁଷ୍କର୍ମ ଉଦ୍ୟମ ପରେ ତାଙ୍କ ବେକ କୁ ଚାପି ଧରି ହତ୍ୟା ଉଦ୍ୟମ କରିଥିବା ଘଟଣା ରେ ମଙ୍ଗଳବାର ତଦନ୍ତକାରୀ ଅଧିକାରୀ କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତ ବୁଲୁ ପାଇକ(୨୮) ଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୫୩/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୬୪(୧)/୬୨/୧୦୯(୧) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଉପ କାରାଗାର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମହିଳା ଙ୍କ ସ୍ବାମୀ ଗଜପତି ଜିଲ୍ଲା ରେ କାମ କରୁଥିବା ବେଳେ ୨ ପୁଅ ବାହାର ରାଜ୍ୟ ରେ ରହନ୍ତି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ମହିଳା ଜଣକ ଗତ ଗୁରୁବାର ରାତି ରେ ଘର ବାରଣ୍ଡା ରେ ଏକୁଟିଆ ଶୋଇଥିଲେ। ରାତି ପ୍ରାୟ ୧ ଟାରେ ଅଭିଯୁକ୍ତ ବୁଲୁ ସେଠାରେ ପହଞ୍ଚି ମହିଳାଙ୍କ ଦୁଇ ହାତ କୁ ଜବରଦସ୍ତ ଭିଡିଧରି ତାଙ୍କୁ ମାଡିବସି ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ।ସେ ପାଟି କରିବାରୁ ଅଭିଯୁକ୍ତ ମହିଳାଙ୍କ ବେକ କୁ ମୋଡ଼ି ଚାପି ଧରିବା ସହ ତାଙ୍କୁ ଶ୍ୱାସରୁଦ୍ଧ କରି ମାରିଦେବାକୁ ଉଦ୍ୟମ କରିଥିଲେ। ମହିଳାଙ୍କ ସହ ବୁଲୁ ଙ୍କ ଧସ୍ତାଧସ୍ତି ହୋଇଥିଲା। ପରେ ମହିଳା ଙ୍କ ପାଟି ଶୁଣି ସାହି ପଡୋଶୀ ଦୌଡ଼ି ଆସିବା ରୁ ସେମାନଙ୍କୁ ଦେଖି ଅଭିଯୁକ୍ତ ବୁଲୁ ଅନ୍ଧାର ରାତିର ସୁଯୋଗ ନେଇ ଘଟଣାସ୍ଥଳ ରୁ ଦୌଡ଼ି ପଳାଇଥିଲେ।ମହିଳା ଜଣକ ସମସ୍ତ ଘଟଣା ତାଙ୍କ ସ୍ବାମୀ ଙ୍କୁ ଫୋନ କରି ଜଣାଇଥିଲେ। ଦିନକ ପରେ ସ୍ବାମୀ ଘରେ ପହଞ୍ଚିବା ପରେ ମହିଳା ଜଣକ ସୋମବାର କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଆଇଆଇସି ଏତଲା ଆଧାରରେ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଥାନାରେ ମହିଳା ଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ରାତି ପ୍ରାୟ ୧୦ ଟାରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଅଭିଯୁକ୍ତ ଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲ ରେ ଉଭୟ ଅଭିଯୁକ୍ତ ଏବଂ ମହିଳା ଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ମହିଳା ଙ୍କ ପିନ୍ଧା ଲୁଗା ଓ ଅଭିଯୁକ୍ତ ଙ୍କ ପୋଷାକ କୁ ପୋଲିସ ଜବତ କରି ପରୀକ୍ଷା ନିମନ୍ତେ ଜିଲ୍ଲା ଫରେନ୍ସିକ ଲାବ୍ରୋଟାରି କୁ ପଠାଇଥିବା ଜଣାପଡିଛି।


