ନବଯୌବନ ରୂପରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀ ବଳଦେବଜୀଉ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାଶ) :କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ଆଜି ହଜାର ହଜାର ଭକ୍ତଙ୍କୁ ନବ ଯୌବନ ରୂପରେ ଦର୍ଶନ ଦେଇଛନ୍ତି । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଜ୍ୱରରେ ପୀଡ଼ିତ ହେବା ସହ ପନ୍ଦରଦିନ ଅଣସର ଘରେ ରହିଥିଲେ । ସେଠାରେ ଶ୍ରୀଜୀଉମାନଙ୍କୁ ସେବକଙ୍କ ଦ୍ୱାରା ଗୁପ୍ତ ସେବା କରାଯାଇଥିଲା । ଯାହା ଫଳରେ ଭକ୍ତ ମାନଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବାରଣ ଥିଲା । ଆଜି ପବିତ୍ର ନେତ୍ର ଉତ୍ସବ ଥିବାରୁ ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ । ଆଜି ପ୍ରତୁ୍ୟଷରୁ ଶ୍ରୀଜୀଉଙ୍କ ଦ୍ୱାର ଉନ୍ମୁକ୍ତ କରାଯାଇ ନେତ୍ର ଦାନ ନୀତି ସମ୍ପନ୍ନ କରାଯାଇଥିଲା । ପରେ ଜୟ ମଙ୍ଗଳା ଆଳତି, ନୀତି ନ୍ୟାସ, ହୋମ, ବଲ୍ଲଭ, ମଙ୍ଗଳାର୍ପଣ କରାଯାଇ ସୁଆର ସେବକ ହୋମକୁଣ୍ଡରୁ ଅଗ୍ନି ନେଇ ରୋଷ ଘରେ ସଂଯୋଗ କରି ଭୋଗ ପ୍ରସ୍ତୁତ କରି ସକାଳ ଧୂପ ସମ୍ପନ୍ନ କରିଥିଲେ । ପରେ ଦ୍ୱିପହର ଧୂପ, ସନ୍ଧ୍ୟାରେ ଆଳତି ଓ ରାତ୍ର ଧୂପ ଲାଗିହେବା ପରେ ବଡ଼ସିଂହାର ନୀତି ହୋଇ ରାତ୍ର ଏଗାର ଟାରେ ପହୁଡ଼ ପଡ଼ିଥିବା ଶ୍ରୀଜୀଉଙ୍କ ମନ୍ଦିର ଦେବୋତ୍ତର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଠାରୁ ସୂଚନା ମିଳିଛି ।


