ପୋଲିସ୍ ପରିଚୟ ଦେଇ ଘରେ ପଶି ଲୁଟ୍ ୩ ଗିରଫ, ୩ ଫେରାର

ଗୁଣୁପୁର,(ୱାଇଏନଏସ): ରାୟଗଡ଼ା ଜିଲ୍ଲା ଗୁଣୁପୁର ପୋଲିସ୍ ଜଣେ ବ୍ୟକ୍ତିଙ୍କ ଘରେ ପୋଲିସ୍ ପରିଚୟ ଦେଇ ପଶି ନଗଦ ଟଙ୍କା ଲୁଟ୍ କରିଥିବା ଘଟଣାର ପର୍ଦାଫାସ କରିଛି। ଏହି ଘଟଣାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ନେଇ ପୋଲିସ୍ ସୂଚନା ଦେଇଛି। ଗୁଣୁପୁର ଥାନା କେସ୍ ନଂ–୧୪୨/୨୦୨୬ ଅନୁସାରେ ଗିରଫ ଅଭିଯୁକ୍ତମାନେ ହେଲେ ରାମନାଗୁଡ଼ା ଥାନା ଅନ୍ତର୍ଗତ ବଡଗୁଡ଼ା ଗ୍ରାମର ଡୁବୁଲା ପାତିକା (୩୫), ଲାଉଗୁଡ଼ା ଗ୍ରାମର ତନମୟ ପାତିକା (୨୫) ଓ ସୁଲୁଡି ଗ୍ରାମର ସୁଣ୍ଡା ଶବର (୪୧)। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୦(୨), ୩୧୯(୨) ଓ ୩୩୨(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗୁଣୁପୁର ଥାନା ଆଇଆଇସି କମଳକାନ୍ତ ବସନ୍ତ କୁମାର କଁଅରଙ୍କ ସୂଚନା ଅନୁଯାୟୀ, ଗତ ୮ ଜୁଲାଇରେ ରାମନାଗୁଡ଼ା ବ୍ଲକ୍ ଗରଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲାଗୁତିଗୁଡ଼ା ଗ୍ରାମର ତମନା ହୁଇକା ନିଜ ଘରେ ଥିବା ସମୟରେ ଆନ୍ଧ୍ରପ୍ରଦେଶର ରେଲା ଅଞ୍ଚଳର ୩ ଜଣ ଓ ରାମନାଗୁଡ଼ା ଅଞ୍ଚଳର ୩ ଜଣ ମିଶି ମୋଟ ୬ ଜଣ ଅଭିଯୁକ୍ତ ପୋଲିସ୍ ପରିଚୟ ଦେଇ ଘରେ ପଶିଥିଲେ। ସେମାନେ ତମନାଙ୍କୁ ଗଞ୍ଜେଇ ବେପାର କରୁଥିବା କହି ଭୟଭୀତ କରିବା ସହ ଘର ତଲାସି କରିଥିଲେ। ଏହି ସମୟରେ ଆଲମିରା ଓ ଡ୍ରୟାରରେ ରଖାଯାଇଥିବା ୪ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଘଟଣା ପରେ ତମନା ହୁଇକା ଭୟଭୀତ ହୋଇ ଦୁଇ ଦିନ ଚୁପ୍ ରହିଥିଲେ। ପରେ ୧୦ ଜୁଲାଇରେ ସେ ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ୍ ୫୪ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍ ଓ ୨ଟି ବାଇକ୍ ଜବତ କରିଛି। ଏହି ଲୁଟ୍ ଘଟଣାରେ ସମ୍ପୃକ୍ତ ଆନ୍ଧ୍ରପ୍ରଦେଶର ଅନ୍ୟ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ବ୍ୟାପକ ଚଢ଼ାଉ ଜାରି ରଖିଛି ବୋଲି ଆଇଆଇସି କମଳକାନ୍ତ ବସନ୍ତ କୁମାର କଁଅର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ